‘ବ୍ଲାକ ଫଙ୍ଗସ୍‌’କୁ ମହାମାରୀ ଘୋଷଣା କଲେ ଓଡିଶା ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ମଧ୍ୟରେ ‘ବ୍ଲାକ ଫଙ୍ଗସ୍‌’କୁ ମହାମାରୀ ଘୋଷଣା କରିଛନ୍ତି ଓଡ଼ିଶା ସରକାର । ଓଡ଼ିଶା ମହାମାରୀ ଆଇନ-୧୮୯୭ର ଧାରା-୩ ଅନୁଯାୟୀ ‘ବ୍ଲାକ ଫଙ୍ଗସ୍‌’କୁ ମହାମାରୀ ଘୋଷଣା କରାଯାଇଛି । ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୧ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛି। ଆଜି ବ୍ଲାକ୍ ଫଙ୍ଗସକୁ କେନ୍ଦ୍ର ପକ୍ଷରୁ ମହାମାରୀ ଘୋଷଣା କରାଯିବା ପରେ ସମସ୍ତ ରାଜ୍ୟକୁ ଏନେଇ ଆଡଭାଇଜରୀ ଜାରି କରାଯାଇଥିଲା । ଓଡ଼ିଶା ସରକାର ଗତ ୩ଦିନ ତଳେ ବ୍ଲାକ ଫଙ୍ଗସ୍ ରୋଗର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ସାଧାରଣତଃ ଏହି ରୋଗ କୋଭିଡ୍ ରୁ ସୁସ୍ଥ ହେଉଥିବା ଲୋକଙ୍କୁ ହେଉଛି । ଡାଇବେଟିସ୍ ଓ କୋଭିଡ୍ ରେ ଷ୍ଟେରଏଡ୍ ନେଉଥିବା ରୋଗୀ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି । ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସରେ ୧୫ଶହ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୯୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ରାଜସ୍ଥାନ ସରକାର ଗତ କାଲି ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି।

Related Posts