ଭୁବନେଶ୍ୱର,୨୩/୮(ସତ୍ୟପାଠ ବ୍ୟୁରୋ): ଆଜି ସାରା ଦେଶରେ ପାଳିତ ହେଉଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ଜହ୍ନ ରାଇଜରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩। ଭାରତର ତୃତୀୟ ମୁନ୍ ମିଶନକୁ ମିଳିଥିଲା ଐତିହାସିକ ସଫଳତା। ଚନ୍ଦ୍ର ଦକ୍ଷିଣ ମେରୁର ଶିବଶକ୍ତି ପଏଣ୍ଟରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ ଏବଂ ଜହ୍ନରାଇଜରେ ବିଚରଣ କରିଥିଲା ରୋଭର୍ ପ୍ରଜ୍ଞାନ। ଏହି ସଫଳତାର ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ପ୍ରତିବର୍ଷ ଅଗଷ୍ଟ ୨୩କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ।

ଚଳିତବର୍ଷର ଥିମ୍ ରହିଛି- “Touching Lives while Touching the Moon: India’s Space Saga.” । ଏହି ଉପଲକ୍ଷେ ପ୍ରାୟ ମାସେ ଧରି ଦେଶର ବିଭିନ୍ନ ସ୍ଥାନରେ ଇସ୍ରୋ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ, ଆଜି ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ରେ ରହିଛି ବର୍ଣ୍ଣାଢ୍ୟ ଉତ୍ସବ। ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉପସ୍ଥିତ ରହିବେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ସମେତ
ବହୁ ବିଶିଷ୍ଟ ବ୍ୟକ୍ତି। ପ୍ରଦର୍ଶନୀ, ପୁରସ୍କାର ପ୍ରଦାନ ଉତ୍ସବ, ଆଲୋଚନା ଚକ୍ର, ଚନ୍ଦ୍ରୟାନ-୩ ଫିଲ୍ମ ପ୍ରଦର୍ଶନ ଆଦି ଆୟୋଜିତ ହେବ ଏହି ଅବସରରେ ।
ସଫଳତାର ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ପ୍ରୟାସ ।

ଗତବର୍ଷ ଠିକ୍ ଏଇ ମାସ, ଠିକ୍ ଏଇ ଦିନ। ୨୦୨୩ ମସିହା ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ବାଜି ୩ ମିନିଟ୍। ଖାଲି ଇସ୍ରୋ କଣ୍ଟ୍ରୋଲ ରୁମ୍ ନୁହେଁ, କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଗୁଞ୍ଜରିତ ହୋଇଥିଲା ଉତ୍ସାହ ଓ ଉଲ୍ଲାସର କରତାଳି। ଚନ୍ଦ୍ରବିଜୟ କରି ଐତିହାସିକ ସଫଳତା ହାସଲ କରିଥିଲା ଭାରତ। ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ଭାରତ ଅବତରଣ କରାଇଥିଲା ଚନ୍ଦ୍ରଯାନ-୩।

୧୭ ମିନିଟର ଆହ୍ବାନପୂର୍ଣ୍ଣ ଅବତରଣ, ଆଉ ଆତଙ୍କପୂର୍ଣ୍ଣ ଶେଷ ୪ ମିନିଟକୁ ସଫଳତାର ସହ ଅତିକ୍ରମ କରି ନିର୍ଦ୍ଧାରିତ ସ୍ଥାନରେ ଅଟୋମେଟିକ୍ ସଫ୍ଟଲ୍ୟାଣ୍ଡିଂ କରାଇଥିଲା ଇସ୍ରୋ। କେବଳ ଶିବଶକ୍ତି ପଏଣ୍ଟରେ ସଫ୍ଟ ଲ୍ୟାଣ୍ଡିଂ ନୁହେଁ, ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ଜହ୍ନ ରାଇଜରେ ଦେଖାଇଥିଲେ ଏକାଧିକ ଚମତ୍କାର ।