ଭୁବନେଶ୍ୱର,୨୩/୮(ସତ୍ୟପାଠ ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ। ବିରୋଧୀଙ୍କ ହୋହାଲ୍ଲା, ଓ ସରକାର ବିରୋଧୀ ଆଭିମୁଖ୍ୟ ଗୃହରେ ଜାରି ରହିଛି । ପ୍ରଥମେ ଛାତ୍ର ସଂସଦ ନିର୍ବାଚନ ଓ ପରେ ଚିକିଟି ମଦ ମୃତ୍ୟୁ ନେଇ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ କଂଗ୍ରେସ ଓ ବିଜେଡି ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି ।
ସେହିପରି ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ହୋହାଲ୍ଲା ଆରମ୍ଭ କରିଥିଲେ ବିରୋଧୀ ବିଜେଡି । ଅବକାରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହ ମଧ୍ୟକୁ ଆସି ନାରା ବାଜି ଆରମ୍ଭ କରିଥିଲେ । ପରେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିଥିଲେ ବିରୋଧୀ ଦଳ । ବିଜେଡିର ୨ ବିଧାୟକ ସୋର ବିଧାୟକ ମାଧବ ଧଡା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ି ବିଶୃଙ୍ଗଳା ସୃଷ୍ଟି କରିଥିଲେ । ସ୍ଥିତି ଅସମ୍ଭାଳ ହେବାରୁ ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।