ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହାପୁର ରସାୟନ କାରଖାନା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି । ଏହି ଘଟଣାରେ ଅବହେଳା ଅଭିଯୋଗରେ ପୁଲିସ ଦୁଇଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି । ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତରୁ କେତେକ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଘଟଣାସ୍ଥଳରୁ କିଛି ପରିମାଣର ବାରୁଦ ମିଳିଥିବା ପୁଲିସ ସୁତ୍ରରୁ ଜଣାପଡ଼ିଛି । ଏହି କାରଖାନାରେ କେତେକ ଖେଳନା ବନ୍ଧୁକ ଉତ୍ପାଦନ କରାଯାଉଥିବାରୁ ଉକ୍ତ ବାରୁଦ ସେସବୁ କାମ ପାଇଁ ଉଦ୍ଦିଷ୍ଟ ଥିବା ସଂଦେହ କରାଯାଉଛି ।
ତେବେ ଏହି ଘଟଣାପଛରେ ଅନ୍ୟକୌଣସି କାରଣ, ଯେପରିକି ସର୍ଟ ସର୍କିଟ, ରକ୍ଷଣାବେକ୍ଷଣର ଅଭାବ ଆଦି ଉପରେ ମଧ୍ୟ ତଦନ୍ତ କରାଯାଉଛି । ଏହି କାରଖାନାର ମାଲିକ ଦିଲସାଦ ଓ ସେ ୨୦୨୧ରେ ଲାଇସେନ୍ସ ପାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଗତ ଶନିବାରଦିନ ଦିଲ୍ଲୀଠାରୁ ୮୦ କିଲୋମିଟର ଦୂର ହାପୁରଠାରେ ଥିବା ଧଉଲାନା ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କାରଖାନାର ବଏଲରରେ ହଠାତ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ହିଁ ୮ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୧୫ ଜଣ ଆହତ ହୋଇଥିଲେ । ପରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ତାହାର ଶବ୍ଦ ୧୦ କିଲୋମିଟର ଦୂରକୁ ଶୁଣାଯାଇଥିଲା ।





