ଦିଲ୍ଲୀ ସରକାର ଆବଶ୍ୟକତା ଠାରୁ ଚାରି ଗୁଣା ଅଧିକ ଅକ୍ସିଜେନ ମାଗିଥିଲେ : ସୁପ୍ରିମକୋର୍ଟ ପ୍ୟାନେଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡର ଦ୍ୱିତୀୟ ଲହରରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଥିଲା। ବିଶେଷ କରି ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ସଙ୍କଟ ଦେଖାଦେଇଥିଲା। ଅମ୍ଳଜାନ ଅଭାବରୁ ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଠିକ୍ ସମୟରେ ଅକ୍ସିଜେନ ଯୋଗାଇ ପାରିନଥିବାରୁ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ମୁହାଁମୁହିଁ ହୋଇଥିଲେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ କଡ଼ା ଭତ୍ସନା କରିଥିଲେ। ଦିଲ୍ଲୀର ଅକ୍ସିଜେନ ଅଭାବକୁ ନେଇ ସୁପ୍ରିମକୋର୍ଟ ଅଡିଟ୍ ରିପୋର୍ଟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଅକ୍ସିଜେନ ଅଡିଟ୍ କମିଟି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଦ୍ୱିତୀୟ ଲହରରେ ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ଚାରି ଗୁଣ ଅଧିକ ଅମ୍ଳଜାନ ମାଗିଥିଲେ। ରିପୋର୍ଟ ମୁତାବକ , ସେହି ସମୟରେ ଦିଲ୍ଲୀରେ ପ୍ରାୟ ୩୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଆବଶ୍ୟକ ଥିଲା, କିନ୍ତୁ ଦିଲ୍ଲୀ ସରକାର ୧୨୦୦ ମେଟ୍ରିକ୍ ଟନ ମାଗିଥିଲେ। ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ପ୍ୟାନେଲ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଡାକ୍ତରଖାନା ଦ୍ୱାରା ଦିଆଯାଇଥିବା ତଥ୍ୟରେ ତ୍ରୁଟି ଦେଖିବାକୁ ମିଳିଛି।  ପ୍ୟାନେଲ ଅନୁଯାୟୀ, ଦିଲ୍ଲୀର ଚାରିଟି ଡାକ୍ତରଖାନା- ସିଙ୍ଗଲ ହସ୍ପିଟାଲ, ଅରୁଣା ଆସିଫ ଅଲି ହସ୍ପିଟାଲ, ଇଏସଆଇସି ମଡେଲ ହସ୍ପିଟାଲ ଏବଂ ଲାଇଫେରାଇ ହସ୍ପିଟାଲ କମ୍ ବେଡ୍ ଥିବାବେଳେ ଅଧିକ ଅକ୍ସିଜେନ ଆବଶ୍ୟକ ଥିବା ଦାବି କରିଥିଲେ। ଅମ୍ଳଜାନ ଅଡିଟ୍ ପ୍ୟାନେଲକୁ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପରିଚାଳନା କରିଥିଲେ।  ଏଥିରେ ଦିଲ୍ଲୀ ସରକାରଙ୍କ  ଗୃହ ସଚିବ ଭୁପିନ୍ଦର ଭଲ୍ଲା, ନିର୍ଦ୍ଦେଶକ ସନ୍ଦୀପ ବୁଦ୍ଧରାଜ, ମ୍ୟାକ୍ସ ହେଲଥ କେୟାର ନିର୍ଦ୍ଦେଶକ ଏବଂ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁବୋଧ ଯାଦବ ଥିଲେ । ପ୍ୟାନେଲ କହିଛି, “ଦିଲ୍ଲୀର ହାରାହାରି 284-372 MT ଅମ୍ଳଜାନ ଆବଶ୍ୟକ ଥିଲା। ଅତିରିକ୍ତ ଅମ୍ଳଜାନ ଯୋଗାଣ ହେତୁ ଅନ୍ୟ ରାଜ୍ୟଗୁଡିକ ପ୍ରଭାବିତ ହୋଇଥିଲେ।” ସୂଚନା ମୁତାବକ , ଦିଲ୍ଲୀ ସରକାରଙ୍କ ତଥ୍ୟ ଅନୁଯାୟୀ ଏପ୍ରିଲ 29 ରୁ ମେ 10 ମଧ୍ୟରେ ଅମ୍ଳଜାନ ବ୍ୟବହାର 350MT ରୁ ଅଧିକ ହୋଇନାହିଁ। ଏପ୍ରିଲ-ମେ ମାସରେ, ଯେତେବେଳେ କୋଭିଡ୍ ସଂକ୍ରମଣ ପିକ୍ ରେ ଔ ଥିଲା, ଦିଲ୍ଲୀର ଅନେକ ଡାକ୍ତରଖାନା ପ୍ରାୟ ପ୍ରତିଦିନ ଅମ୍ଳଜାନ ପାଇଁ SOS ପଠାଉଥିଲେ । ଏପରିକି କେତେକ ଅମ୍ଳଜାନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ସୋସିଆଲ ମିଡିଆରେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ମଧ୍ୟରେ ଅମ୍ଳଜାନ ଅଭାବକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଅମ୍ଳଜାନ ଯୋଗାଣ ପାଇଁ ଅନେକ ଡାକ୍ତରଖାନା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ଦିଲ୍ଲୀର ଅମ୍ଳଜାନ କୋଟା ବୃଦ୍ଧି କରିଥିଲା।  

Related Posts