ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବାଣ ଫୁଟିବ ନାହିଁ। ବିନା ବାଣରେ ପାଳନ କରାଯିବ ଆଲୋକର ପର୍ବ ଦୀପାବଳି। ବୁଧବାର ଦିଲ୍ଲୀ ସରକାର ବାଣ ବିକ୍ରି ଏବଂ ଏହାର ବ୍ୟବହାର ଉପରେ ୨୦୨୩ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ ଏନେଇ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି।ଏଥର ବାଣର ଅନଲାଇନ ବିକ୍ରି ଏବଂ ଡେଲିଭରୀ ଉପରେ ମଧ୍ୟ ରୋକ୍ ଲଗାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜଧାନୀରେ ପ୍ରଦୂଷଣ ମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିବା ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି। ଏମିତି ହେଲେ ଲୋକଙ୍କ ଜୀବନ ଉପରେ ପଡୁଥିବା ନକରାତ୍ମକ ପ୍ରଭାବ ହ୍ରାସ ପାଇବ। ଏହି ନିୟମକୁ ଦୃଢତାର ସହ ଲାଗୁ କରାଯିବ ଏବଂ ଏଥିପାଇଁ ଦିଲ୍ଲୀ ପୋଲିସର ସହଯୋଗ ନିଆଯିବ। ତେଣୁ ଏଥର ଅଫଲାଇନ ସହ ଅନଲାଇନ ବିକ୍ରି ଉପରେ ମଧ୍ୟ ରୋକ୍ ଲଗାଯାଇଛି। କଟକଣାକୁ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଡିପିସିସି ଏବଂ ରାଜସ୍ଵ ବିଭାଗ ସହିତ ମିଶି ଯୋଜନା ପ୍ରସ୍ତୁତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀରେ ପ୍ରତି ବର୍ଷ ଶୀତ ଋତୁ ଆରମ୍ଭ ସହିତ ବାୟୁର ଗୁଣବତ୍ତା ନିମ୍ନସ୍ତରକୁ ଚାଲି ଯାଇଥାଏ। ଦୀପାବଳି ସମୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅହେତୁକ ବୃଦ୍ଧି ପାଇଥାଏ। ପ୍ରଦୂଷଣ ରେକର୍ପସ୍ତରକୁ ଚାଲିଯାଏ। ଏଥିପାଇଁ ଗତ ବର୍ଷ ମଧ୍ୟ ବାଣ ବିକ୍ରି ଉପରେ ରୋକ୍ ଲଗାଯାଇଥିଲା। କିନ୍ତୁ ଏହାକୁ କଠୋରତାର ସହ ଲାଗୁ କରିବା ଦିଲ୍ଲୀ ସରକାର ପାଇଁ ଏକ ଚ୍ୟାଲେଞ୍ଜ। କାରଣ ଦୀପାବଳିରେ ବାଣ ବିକ୍ରିକୁ ନେଇ ଖୁବ୍ ରାଜନୀତି ହୋଇଥାଏ।