ବିଶ୍ୱ ବଜାରରେ ବଢ଼ିଛି ଭାରତୀୟ ସାମଗ୍ରୀର ଚାହିଦା; ବିଦେଶକୁ ୩୦ ଲକ୍ଷ କୋଟିର ରପ୍ତାନୀ କରିଛି ଭାରତ: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱ ବଜାରରେ ଭାରତୀୟ ସାମଗ୍ରୀର ଚାହିଦା ବଢ଼ିବାରେ ଲାଗିଛି । ଗତ ସପ୍ତାହରେ ଭାରତ ୩୦ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିଛି ବୋଲି ‘ମନ୍ କି ବାତ୍’ର ୮୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହା ସହ ଭାରତ ଏବେ ବିଶ୍ବର ବିଭିନ୍ନ ପ୍ରାନ୍ତ ଏବଂ ନୂତନ ବଜାରରେ ପହଞ୍ଚୁଛି। କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ସଫଳତା ଗୌରବର ବିଷୟ। ସମୟ ଥିଲା ଭାରତର ରପ୍ତାନି ୧୦୦ ବିଲିୟନ୍, ବେଳେ ବେଳେ ୧୫୦ ବିଲିୟନ୍, କଦବା କେତେବେଳେ ୨୦୦ ବିଲିୟନ୍ ଡଲାର୍ ହେଉଥିଲା। ଏବେ ଭାରତର ରପ୍ତାନି ୪୦୦ ବିଲିୟନ୍ ଡଲାର୍ରେ ପହଞ୍ଚିଛି। ଅର୍ଥନୈତିକ ଅଗ୍ରଗତି କ୍ଷେତ୍ରରେ ଭାରତ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ତେଣୁ, ନୂଆ ନୂଆ ବଜାରକୁ ଆମର ଉତ୍ପାଦ ରପ୍ତାନି କରିବା ଆବଶ୍ୟକ। ଦେଶର ବିଭିନ୍ନ ପ୍ରାନ୍ତରୁ ନୂଆ ଉତ୍ପାଦ ସବୁ ବିଦେଶରେ ପହଞ୍ଚୁଛି। ଆସାମର ହୈଲାକାଣ୍ଡିର ଚମଡ଼ା ଉତ୍ପାଦ ଅଥବା ଓସ୍ମାନାବାଦର ହସ୍ତତନ୍ତ ଉତ୍ପାଦ, ବିଜାପୁରର ଫଳ ଓ ପନିପରିବା କିଂବା ଚନ୍ଦୌଲିର କଳାଚାଉଳ, ଲଦାଖର ଅଖରୋଟ୍, ତାମିଲନାଡୁର କଦଳୀ, ହିମାଚଳର ବାଜରା ଆଦିର ରପ୍ତାନି ବୃଦ୍ଧି ପାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ କୃଷକ ଏବଂ ଯୁବ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରଶଂସା କରି କହିଛନ୍ତି, ଆମ କୃଷକ, ଉତ୍ପାଦନକରୀ ଏବଂ ଶିଳ୍ପର ସାମର୍ଥ୍ୟ ଏବଂ କଠିନ ପରିଶ୍ରମ ଯୋଗୁଁ ‘ମେକ୍ ଇନ୍ ଇଣ୍ଡିଆ’ ଉତ୍ପାଦ ତାଲିକା ବିଶାଳକାୟ ହୋଇପାରିଛି।

ପୂର୍ବରୁ ମନେହେଉଥିଲା କେବଳ ବଡ଼ ଲୋକମାନେ ସେମାନଙ୍କ ଉତ୍ପାଦ ସରକାରଙ୍କୁ ବିକ୍ରୟ କରିପାରିବେ। କିନ୍ତୁ, ‘ଜିଇଏମ୍ ପୋର୍ଟାଲ୍’ ସେଭଳି ଭାବନାକୁ ବଦଳାଇ ଦେଇଛି। ଭାରତ ଏବେ ବଡ଼ ବଡ଼ କଥା କଳ୍ପନା କରି ତାହାକୁ ଚରିତାର୍ଥ କରିବାକୁ କାର୍ୟ୍ୟ କରୁଛି। ପ୍ରତ୍ୟେକ ଭାରତୀୟ ‘ଭୋକାଲ୍ ଫର୍ ଲୋକାଲ୍’ ପାଇଁ ଲାଗିଲେ ‘ଲୋକାଲ୍’ ‘ଗ୍ଲୋବାଲ୍’ ହେବାରେ ବିଳମ୍ବ ହେବନାହିଁ। ‘ଲୋକାଲ୍’କୁ ‘ଗ୍ଲୋବାଲ୍’ରେ ପରିଣତ କରି ଆମ ଉତ୍ପାଦର ମାନ ଆହୁରି ବୃଦ୍ଧି କରନ୍ତୁ। ୬ ବର୍ଷ ତଳେ ଆୟୁର୍ବେଦୀୟ ଔଷଧର ବଜାର ୨୨,୦୦୦ କୋଟି ଥିଲା। କିନ୍ତୁ, ଆଜି ‘ଆୟୁଷ ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଇଣ୍ଡଷ୍ଟ୍ରି’ ୧.୪୦ କୋଟି ଟଙ୍କାରେ ପହଞ୍ଚିଲାଣି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Related Posts