ଜୁନ ୧ତାରିଖରୁ ରାଜଧାନୀରେ ଗଡ଼ିବ ଇ-ବସ; ୩୦ ରୁଟରେ ୧୦ ମୋ’ ବସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁନ ୧ତାରିଖରୁ ରାଜଧାନୀରେ ଗଡ଼ିବ ଇ-ବସ । ଏନେଇ କ୍ରୁଟ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବସ ଗୁଡ଼ିକ ପଟିଆ ମୋ’ ବସ ଷ୍ଟେସନରେ ପହଞ୍ଚି ସାରିଛି । ବସ ଗୁଡ଼ିକ ପ୍ରଥମେ ଭୁବନେଶ୍ୱରରେ ୩୦ଟି ରୁଟରେ ଚଳାଚଳ କରିବ । ପରେ ଖୋର୍ଦ୍ଧା, ପୁରୀ ଓ କୋଣାର୍କ ପର୍ଯ୍ୟନ୍ତ ଯିବ । ବିନା ଶବ୍ଦ ଓ ଧୂଆଁରେ ଏହି ବସ ଯାତ୍ରୀଙ୍କୁ ଏକ ନିଆରା ଆନନ୍ଦ ଦେବ ବୋଲି କ୍ରୁଟ କହିଛି । ବସଗୁଡ଼ିକ ଚାର୍ଜ କରିବା ପାଇଁ କ୍ରୁଟ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୫ଟି ଚାର୍ଜିଂ ଷ୍ଟେସନ କରାଯାଇଛି । ପରେ ପର୍ଯ୍ୟାୟକ୍ରମେ ଆଉ ୪୦ଟି ବସ ଆସିବାକୁ ଥିବାରୁ ଚାର୍ଜିଂ ଷ୍ଟେସନର ସଂଖ୍ୟା ବଢ଼ିବ ବୋଲି କୁହାଯାଇଛି । ବସଗୁଡ଼ିକ ଥରେ ଚାର୍ଜ ହେଲେ ୧୫୦ କିମି ପର୍ଯ୍ୟନ୍ତ ଯିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି ।

କ୍ରୁଟ ପକ୍ଷରୁ କୁହାଯାଇଛି ଯେ ମୋ’ ବସର ଚାହିଦା ବଢ଼ିଛି । ଲୋକମାନେ ଯାତାୟତ ପାଇଁ ମୋ ବସକୁ ଅଧିକ ପସନ୍ଦ କରୁଛନ୍ତି । ଚଳିତ ମାସର ପ୍ରଥମ ୧୫ ଦିନରେ ଯାତ୍ରୀସଂଖ୍ୟା ରେକର୍ଡ କରିଛି । ମେ’ ୧ରୁ ୧୫ ଭିତରେ ୨୨ ଲକ୍ଷ ୫୫ ହଜାର ୮୩୭ ଜଣ ଯାତ୍ରୀ ମୋ’ ବସ ବ୍ୟବହାର କରିଛନ୍ତି । ଏହା ସର୍ବକାଳୀନ ରେକର୍ଡ ବୋଲି କ୍ରୁଟ କହିଛି । ବର୍ତ୍ତମାନ ୩୨ଟି ରୁଟରେ ଚଳାଚଳ କରୁଥିବା ୨୨୫ଟି ମୋ’ ବସରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହରରେ ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇ-ରିକ୍ସା ସେବା ଆରମ୍ଭ ହୋଇଛି । କ୍ରୁଟ ଅଞ୍ଚଳରେ ଆଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ୧୦୦ ମିନିବସ ଚାଲିବାକୁ ଯୋଜନା ହୋଇଛି । ଅର୍ଥାତ ଲୋକଙ୍କ ଘର ପାଖରୁ ମିନିବସ ଲୋକଙ୍କୁ ଆଣି ମୋ’ ବସ ଷ୍ଟାଣ୍ଡରେ ପହଞ୍ଚାଇବ । ସେଠାରୁ ଗନ୍ତବ୍ୟସ୍ଥଳକୁ ଲୋକ ଯାଇ ପାରିବେ ।

Related Posts