କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଜୁନ୍ ୧ ରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଥିଲା ଆଇଏମଡି । ପ୍ରଚଣ୍ଡ ଉତ୍ତାପରେ ହନ୍ତସନ୍ତ ହେଉଥିବା ଲୋକଙ୍କୁ ମିଳିଛି ଆଶ୍ୱସ୍ତି । ମେ ୨୯ ଅର୍ଥାତ୍ ଆଜି କେରଳ ଛୁଇଁଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ଦେଶର କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷକରି ଦକ୍ଷିଣରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଇଏମଡି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଙ୍କ ନୂଆ ସଂକେତ ଅନୁସାରେ ଦକ୍ଷିଣ ଆରବ ସାଗରର ନିମ୍ନାଞ୍ଚଳରେ ପବନ ଏବେ ପଛୁଆ ହେଲାଣି। ଉପଗ୍ରହ ଛବି ଅନୁସାରେ କେରଳ ଉପକୂଳ ଓ ଏହା ସଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗରରେ ବାଦଲ ଛାଇ ରହିଛି। ଏଣୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ କେରଳରେ ମୌସୁମୀ ଆରମ୍ଭ ହେବାକୁ ପରିସ୍ଥିତି ଅନୁକୂଳ ଥିବା ପରି ଲାଗୁଛି ବୋଲି ଆଇଏମଡି ସୂଚନା ଦେଇଥିଲେ ।

ଆଇଏମଡି ଆଗାମୀ ଦିନମାନଙ୍କରେ ଜମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରିଛନ୍ତି। ସେହିପରି ଉତ୍ତରପଞ୍ଜାବ, ଉତ୍ତରାଖଣ୍ଡ, ଉତ୍ତର ହରିୟାଣା ଓ ଉତ୍ତରପ୍ରଦେଶ ସମେତ ରାଜସ୍ଥାନର ଦୂରଦୂରାନ୍ତରେ ବର୍ଷାର ଆକଳନ କରିଛନ୍ତି। ଏହା ପୂର୍ବରୁ ଆଇଏମଡି ଘୂର୍ଣ୍ଣିବାତ୍ୟା ଆସନୀ ପ୍ରଭାବରେ ଶୁକ୍ରବାର ମେ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳ ପହଞ୍ଚିବ ବୋଲି ପୂର୍ବାନୁମାନ କରିଥିଲେ ।

Related Posts