ଆଜି ୩ ରାଜ୍ୟ ପାଇଁ ବାଜିବ ନିର୍ବାଚନୀ ବିଗୁଲ!

ଭୁବନେଶ୍ୱର, ୧୮/୧(ସତ୍ୟପାଠ ବ୍ୟୁରୋ): ଆଜି ଦେଶର ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଅପରାହ୍ନ ୨ଟା ୩୦ ନିର୍ବାଚନ କମିଶନଙ୍କ ପକ୍ଷରୁ ଡକାଯାଇଥିବ ସାମ୍ବାଦିକ ସମ୍ମିଳନୀରେ ତିନିଟି ରାଜ୍ୟ ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି। ଆସନ୍ତା ଫେବ୍ରୁଆରୀ ମାସରେ ଏହି ତିନୋଟି ରାଜ୍ୟରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ନିକଟରେ ନିର୍ବାଚନ ଆୟୋଗର ଏକ ଟିମ୍ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ନିର୍ବାଚନ ଆୟୋଗ ମଧ୍ୟ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହ ଯୋଗାଯୋଗ କରିଥିବା କୁହାଯାଉଛି। ଏହି ତିନୋଟି ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି।

୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି କ୍ଷମତାରେ ଥିବାବେଳେ ନାଗାଲାଣ୍ଡ ଓ ମେଘାଳୟରେ ବିଜେପି ମେଣ୍ଟ ସରକାରରେ ରହିଛି। ନାଗାଲାଣ୍ଡ ଓ ମେଘାଳୟର ୬୦ଟି ଲେଖାଏଁ ଆସନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା ହେବ।

ନାଗାଲାଣ୍ଡ, ମେଘାଳୟ ଓ ତ୍ରୁପୁରା ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୧୨, ମାର୍ଚ୍ଚ ୨୨ ଓ ୧୫ ମାର୍ଚ୍ଚରେ ଶେଷ ହେବ। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ତିନି ରାଜ୍ୟରେ ନିର୍ବାଚନ ଶେଷ ହେବ। ତେଣୁ ଆଞ୍ଚଳିକ ଦଳଠାରୁ ଆରମ୍ଭ କରି ଜାତୀୟ ଦଳ ପର୍ଯ୍ୟନ୍ତ ସମସ୍ତେ ଏହି ତିନି ରାଜ୍ୟରେ ନିର୍ବାଚନ ଲଢ଼ିବା ପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

Related Posts