ମୋ ଚିଠି ଯୋଗୁଁ ଦ୍ରୌପଦୀ ମୁର୍ମୁଙ୍କୁ ସମାଜବାଦୀ ପାର୍ଟି ବିଧାୟକଙ୍କ ଭୋଟ ମିଳିଛି : ଶିବପାଲ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ତାଙ୍କ ଦାଦା ଶିବପାଲ ସିଂହ ଯାଦବଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନରେ ପାର୍ଟିର କିଛି ବିଧାୟକ ‌ଏନଡିଏ ପ୍ରାର୍ଥୀ ‌ଦ୍ରୌପଦୀ ମୁର୍ମୁଙ୍କୁ ଯେଉଁ ଭୋଟ ଦେଇଛନ୍ତି ତାହାର ଶ୍ରେୟ ଶିବପାଲ ଦାବି କରିଛନ୍ତି। ସେ କହିଛନ୍ତି ଅତୀତରେ ଯଶୱନ୍ତ ସିହ୍ନା ମୁଲାୟମ ସିଂହ ଯାଦବଙ୍କୁ ଅପମାନିତ କରିଥିଲେ।ଏ ସଂପର୍କରେ ସେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅଖିଳେଶଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ଫଳରେ ସପାର କିଛି ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି ବୋଲି ଶିବପାଲ ଦାବି କରିଛନ୍ତି। ଶିବପାଲ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମୟ ନେଇ ତାଙ୍କୁ ଭେଟିବେ ବୋଲି କହିଛନ୍ତି। ‌ପ୍ରଥମ ଥର ପାଇଁ ଜଣେ ଆଦିବାସୀ ରା‌ଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ସେ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ମୁଲାୟମଙ୍କୁ ଯଶୱନ୍ତ ସିହ୍ନା ଏକଦା ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଆଇଏସଆଇ ଏଜେଣ୍ଟ କହିଥିଲେ। ତେଣୁ ତାଙ୍କୁ ଆମେ କେବେ ସମର୍ଥନ କରିବା ଉଚିତ ହେବନାହିଁ ବୋଲି ଶିବପାଲ ଅଖିଳେଶ ଯାଦବଙ୍କୁ କହିଥିଲେ। ଯେଉଁ ସପା ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି ସେମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରି ସେମାନଙ୍କ ନିଷ୍ଠା ଦେଖାଇଛନ୍ତି। ପ୍ରକୃତ ସମାଜବାଦୀ କୌଣସି ପରିସ୍ଥିତିରେ ନେତାଜୀ ମୁଲାୟମ ସିଂହ ଯାଦବଙ୍କ ଅପମାନକୁ ବରଦାସ୍ତ କରିପାରିବ ନାହିଁ ବୋଲି ଶିବପାଲ କହିଛନ୍ତି।

Related Posts