ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁସଂଖ୍ୟା ୨୭୫, ଡବଲ୍ କାଉଣ୍ଟିଙ୍ଗ୍ ଯୋଗୁ ସଂଖ୍ୟା ବଢ଼ିଥିବା କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିଛି। ଗତକାଲି ସୁଦ୍ଧା ଏହା ସରକାରୀ ଭାବେ ୨୮୮ ଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୨୭୫ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ସେ ଗଣମାଧ୍ୟମକୁ ଜଣାଇଛନ୍ତି କି ଦୁଘର୍ଟଣା ପରେ କେତେକ ମୃତଦେହର ଡବଲ କାଉଣ୍ଟିଙ୍ଗ ବା ଦୁଇଥର ଗଣତି ହୋଇ ଯାଇଥିଲା ।

ବର୍ତ୍ତମାନ ସବୁକୁ ତନଖି କରି ବାଲେଶ୍ବର ଜିଲ୍ଲାପାଳ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ତାଙ୍କ ଲିଖିତ ତଥ୍ୟ ଅନୁଯାୟୀ, ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟରୁ ୭୮ ମୃତଦେହକୁ ଚିହ୍ନଟ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୧୦ ମୃତଦେହ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ହସ୍ତାନ୍ତର ହେବ । ବାକି ୧୮୭ଟି ମୃତଦେହକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ମୃତଦେହ ଚିହ୍ନଟ ଓ ଗ୍ରହଣ ଲାଗି ଟ୍ରୋଲ ଫ୍ରି ନମ୍ବର 18003450061 ଜାରି କରାଯାଇଛି। ଯେଉଁମାନେ ମୃତଦେହ ଚିହ୍ନଟ ପାଇଁ ଆସୁଛନ୍ତି ସେମାନେ ଏହି ନମ୍ବରରେ କଲ କରି ପାରିବେ । ଆମର ଅଫିସରମାନେ ସେମାନଙ୍କୁ ସାହାଯ୍ୟ କରିବେ । ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ । ତେବେ 1929 ଟୋଲ୍ ଫ୍ରି ନମ୍ବର କେବଳ ଓଡ଼ିଶା ଲୋକଙ୍କ ପାଇଁ ଜାରି କରାଯାଇଛି । ରାଜ୍ୟର ଖର୍ଚ୍ଚରେ ମୃତଦେହକୁ ଗନ୍ତବ୍ୟ ସ୍ଥଳକୁ ପଠାଯିବ ବୋଲି ନିଷ୍ପତ୍ତି ‌ହୋଇଛି ବୋଲି ଶ୍ରୀ ଜେନା କହିଛନ୍ତି।

ରେଳ ଦୁର୍ଘଟଣାରେ ଆହତ ୩୮୨ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ କ୍ରିଟିକାଲ ଅଛନ୍ତି । ସମସ୍ତଙ୍କୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି।

ଅନ୍ୟପକ୍ଷରେ କଟକ ବଡ଼ଡ଼ାକ୍ତରଖାନାର ଜେନେରାଲ ୱାର୍ଡ଼ରେ ୧୮୦ ଜଣ ଆହତ ଚିକିତ୍ସିତ ହେଉଥିବା ବେଳେ ୬ ଜଣ ଆଇସିୟୁରେ ଅଛନ୍ତି।ସୋରରେ ୩ ଜଣ, ବାଲେଶ୍ଵରରେ ୫୭ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ସୁସ୍ଥ ହୋଇ ଫେରି ଯାଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

Related Posts