ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ରଙ୍କୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନ । ଏନେଇ ରାଜ୍ୟ ନିର୍ବାଚନ କମିସନ ଗଜପତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ରାତିରେ ଅନାମ ଚରଣ ପାତ୍ର ନୂଆଗଡ଼ ବ୍ଲକ୍ କାର୍ଯ୍ୟାଳୟ ପରିସର ଷ୍ଟ୍ରଙ୍ଗରୁମକୁ ଯାଇଥିବାବେଳେ ତାଙ୍କୁ ଲୋକେ ତାଲା ପକାଇ ଅଟକ ରଖିଥିଲେ। ପୂର୍ବରୁ ମଧ୍ୟ ଶ୍ରୀ ପାତ୍ର ବିଭିନ୍ନ ବିବାଦମୂଳକ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ରହିଥିଲା। ଏହିଭଳି ସ୍ଥିତିରେ ଗତକାଲିର ଘଟଣାରେ ତାଙ୍କର ଭୂମିକା ଅତ୍ୟନ୍ତ ସନ୍ଦେହଜନକ ବୋଲି ଅଭିଯୋଗ ହୋଇଛି। ରାତି ପ୍ରାୟ ୯ଟା ସମୟରେ ପିଡି ଶ୍ରୀ ପାତ୍ର ନୂଆଗଡ଼ ବ୍ଲକ୍ କାର୍ଯ୍ୟାଳୟ ପରିସର ଥିବା ଷ୍ଟ୍ରଙ୍ଗରୁମକୁ ଯାଇଥିଲେ। ତାଙ୍କର ଅନ୍ଧାରି ବିଜେକୁ ନେଇ ବିଭିନ୍ନ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେମାନେ ପଚାରିବାରୁ ଶ୍ରୀ ପାତ୍ର ବୈଠକ ପାଇଁ ଆସିଥିବା କହିଥିଲେ। କର୍ମୀମାନେ ପାଲଟା ପ୍ରଶ୍ନ କରିଥିଲେ ଯେ, ବୈଠକ ଯଦି ଦିନରେ ନଆସି ରାତିରେ କାହିଁକି ଆସିଲେ? ଏହାକୁ ନେଇ କିଛିସମୟ ଧରି ବାକ୍ୟୁଦ୍ଧ ସହିତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହାପରେ ବିରୋଧୀ କଂଗ୍ରେସ ଓ ବିଜେପିର କର୍ମୀମାନେ ଶ୍ରୀ ପାତ୍ରଙ୍କୁ ଅଟକ ରଖିବା ସହିତ ଫାଟକରେ ତାଲା ପକାଇ ଦେଇଥିଲେ। ତେବେ, କାହିଁକି ତାଲା ପକାଇଲେ ଶ୍ରୀପାତ୍ର ପଚାରିବାରୁ ଉତ୍ତ୍ୟକ୍ତ ଲୋକମାନେ ପାଲଟା ଭତ୍ସନା କରିଥିଲେ। ତୁରନ୍ତ ସ୍ଥାନ ଛାଡ଼ିନଥିଲେ ପରିସ୍ଥିତି ଭୟାନକ ହେବ ବୋଲି ଚେତାବନୀ ଦେଇଥିଲେ। ଏହାପରେ, ପିଡି ଶ୍ରୀ ପାତ୍ର ରାତାରାତି ସେ ଅଞ୍ଚଳ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବିବାଦରେ ଛନ୍ଦିହେବା ଶ୍ରୀ ପାତ୍ରଙ୍କ ପାଇଁ ନୂଆ ଘଟଣା ନୁହେଁ। କିଛିଦିନ ତଳେ ମୋହନା ବ୍ଲକ୍ କାର୍ଯ୍ୟାଳୟରେ ଭୋଟଗ୍ରହଣ ପୂର୍ବରୁ ଷ୍ଟ୍ରଙ୍ଗରୁମ ଖୋଲି ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଯାଞ୍ଚ୍ ବେଳେ ଗୋଟିଏ ରୁମ୍ ତାଲା ନଖୋଲିବା, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଷ୍ଟ୍ରଙ୍ଗରୁମ ଖୋଲିବାରୁ ନିର୍ଦ୍ଧାରିତ ପରିମାଣରୁ ଅଧିକ ପରିମାଣର ଅସଲି ଓ ବ୍ୟବହୃତ ବାଲଟ୍ ଗଚ୍ଛିତ ଥିବା ଓ ତାହା ଜବତ କରାଯିବା ଭଳି ଘଟଣାରେ ତାଙ୍କ ଭୂମିକା ସନ୍ଦେହଘେରକୁ ଆସିଥିଲା। ଏହାର କିଛିଦିନ ପୂର୍ବରୁ ରାୟଗଡ଼ ବ୍ଲକ୍ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଅଧିକାରୀଙ୍କ ସଂପୃକ୍ତିରେ ମନରେଗା ଦୁର୍ନୀତି ପଦାକୁ ଆସିଥିଲା।

ସେହିଭଳି ଆଦିବାସୀଙ୍କୁ ହଳଦୀ ଓ ବିହନ ଯୋଗାଇଦେବା ବାହାନାରେ ୧ କୋଟି ୧୬ ଲକ୍ଷ ଚଳୁ ହୋଇଥିବା ପ୍ରମାଣ ମିଳିଥିଲା। ଏହାପରେ ଏହି ଦୁର୍ନୀତିର ମୁଖ୍ୟ କାର୍ପଟଦାର ଦୁଇ ଅଧିକାରୀଙ୍କୁ ପୁରସ୍କାର ସ୍ୱରୂପ ରାଜ୍ୟ ସରକାର ଜଣଙ୍କୁ ସହକାରୀ କମିସନର ଓ ଆଉ ଜଣଙ୍କୁ ଓଏଚ୍ଆର୍ସିର ଡେପୁଟି ସେକ୍ରେଟାରୀ ଭାବେ ବଦଳି କରିଥିଲେ। ଏବେ ନିର୍ବାଚନ ସମୟରେ ଖୋଦ୍ ପିଡି ଡିଆର୍ଡିଏ ସରକାରୀ ଏଜେଣ୍ଟ୍ ଭଳି କାମ କରୁଥିବା ନେଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ ଆଣିଛନ୍ତି।

Related Posts