ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କରୋଲି ମାମଲାକୁ ନେଇ ଦିନକୁ ଦିନ ବିରୋଧ ପ୍ରର୍ଦାନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ହିଂସା ପ୍ରଭାବିତ କରୋଲି ଅଭିମୁଖେ ଯାତ୍ରା କରୁଥିବା ତେଜସ୍ଵୀ ସୂର୍ୟ୍ୟାଙ୍କୁ ରାଜସ୍ଥାନ ପୋଲିସ ଅଟକ ରଖିଛି। ଏବେ ରାଜସ୍ଥାନର ଗେହଲଟ ସରକାରଙ୍କ ଉପରେ ଗର୍ଜିଛନ୍ତି ତେଜସ୍ଵୀ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଆମେ ବିହାରରେ ଜଙ୍ଗଲରାଜ ବିଷୟରେ ଶୁଣିଥିଲେ। ମାତ୍ର ଆଜି ରାଜସ୍ଥାନରେ ଗେହଲଟ ସରକାରରେ ମଧ୍ୟ ଜଙ୍ଗଲରାଜ ଦେଖିବାକୁ ମିଳିଛି। ରାଜସ୍ଥାନର ଏହି ଜଙ୍ଗଲରାଜ ବିରୋଧରେ ଯୁବା ମୋର୍ଚ୍ଚା ସଂଘର୍ଷ ଜାରି ରଖିବ। ଆଜି ଔରଙ୍ଗଜେବ ନାହିଁ ତଥାପି ଗେହଲଟ ସରକାର ଔରଙ୍ଗଜେବଙ୍କ ସ୍ଥାନ ନେଇ ଯାଇଛନ୍ତି। ଔରଙ୍ଗଜେବଙ୍କ ପରି କାମ ଆଜି ଗେହଲଟଙ୍କ ପରି ଲୋକ କରୁଛନ୍ତି। ତେଜସ୍ଵୀ କହିଛନ୍ତି, ମୁଁ ଅଶୋକ ଗେହଲଟଙ୍କୁ କହିବାକୁ ଚାହୁଁଛି ଯେ, ଏହା ଆଫଗାନିସ୍ତାନ ନୁହେଁ। ହିନ୍ଦୁଙ୍କ ସହିତ ଦ୍ଵିତୀୟ ଶ୍ରେଣୀ ନାଗରିକଙ୍କ ପରି ବ୍ୟବହାର ହେବାକୁ ଦିଆଯିବ ନାହିଁ। ମୁଁ କହିବାକୁ ଚାହୁଁଛି କଂଗ୍ରେସ ଦଳ ବର୍ତ୍ତମାନର ଆଧୁନିକ ମୁସଲିମ ଲିଗ୍। ଯେଉଁ କାମ ମୁସଲିମ ଲିଗ୍ କରାଉଥିଲା, ସେହି କାମ ଆଜି ରାହୁଲ ଗାନ୍ଧୀ ଏବଂ ଅଶୋକ ଗେହଲଟଙ୍କ ପରି ଲୋକ କରୁଛନ୍ତି ବୋଲି ତେଜସ୍ଵୀ କହିଛନ୍ତି।

ସେପଟେ ରାଜସ୍ଥାନର କରୋଲିରେ ଡିଜେରେ ବାଜୁଥିବା ଗୀତ ଏବଂ ନାରାବାଜିରେ ଉତ୍ତେଜିତ ହୋଇ ଲୋକେ ପଥରମାଡ କରିଥିଲେ। ପରେ ଏହା ହିଂସାର ରୂପ ନେଇଥିଲା। ଏପ୍ରିଲ ୨ ସନ୍ଧ୍ୟା ୪ଟାରେ କଲେକ୍ଟ୍ରକ ସର୍କିଲରୁ ବାହାରିଥିବା ରାଲିରେ ପ୍ରାୟ ୨୦୦ ବାଇକରେ ୪୦୦ ଜଣ ଥିଲେ। ରାଲି ଆଗରେ ଥିବା ପିକଅପରେ ଡିଜେ ଗାନା ବାଜୁଥିଲା। ପ୍ରଶାସନ ପକ୍ଷରୁ ଡିଜେ ଏବଂ ଲାଉଡସ୍ପିକରକୁ ଅନୁମତି ଦିଆଯାଇନଥିଲା। ଡିଜିପି କହିଛନ୍ତି, ରାଲି ଯେବେ ସଂଖ୍ୟାଲଘୁ ବାହୁଲ୍ୟ ଅଞ୍ଚଳ ଦେଇ ଗତି କରୁଥିଲା, ସେହି ସମୟରେ ରାଲିରେ ସାମିଲ୍ ଲୋକେ ନାରାବାଜି ଆରମ୍ଭ କରିଥିଲେ। ଏହା ପରେ ଆଖପାଖ ଘର ଏବଂ ଦୋକାନରୁ ରାଲିରେ ସାମିଲ୍ ଲୋକ ଏବଂ ପୋଲିସ ଉପରେ ପଥରମାଡ ଆରମ୍ଭ ହୋଇଥିଲା। ପ୍ରାୟ ୧୦୦ ରୁ ୧୫୦ ଜଣ ଲାଠି ଧରି ଆକ୍ରମଣ କରିଥିଲେ। ଜଳାପୋଡା ଏବଂ ଭଙ୍ଗାରୁଜାରେ ପ୍ରାୟ ୮୦ରୁ ଅଧିକ ସଂପତ୍ତି ନଷ୍ଟ ହୋଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।