ଟାଟା ପାୱାର ସହ ମିଶି ଲୋକଙ୍କୁ ଲୁଟୁଛନ୍ତି ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟାଟା ପାୱାର କମ୍ପାନୀର ବହୁବିଧ ଶୋଷଣ ଓ ଦାଦାଗିରି ପଛରେ ସରକାରଙ୍କ ପ୍ରଚ୍ଛନ୍ନ ସଂପୃକ୍ତି ଓ ସମର୍ଥନ ରହିଛି ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । କରୋନା କାଳରେ ଲକଡାଉନ ଯୋଗୁଁ ଲୋକେ ଘରେ ବନ୍ଦ ହୋଇରହିଥିବା ବେଳେ ସରକାର ଟାଟାପାୱାର କମ୍ପାନୀ ହାତକୁ ବିଦ୍ୟୁତ ସରବରାହ ଓ ବଂଟନ ବ୍ୟବସ୍ଥାକୁ ଟେକିଦେଲେ । 

ଗୋଟିଏ ଆର୍ଥିକ ବର୍ଷରେ ମାତ୍ର ଥରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇପାରିବାର ବ୍ୟବସ୍ଥା ଥିବାବେଳେ କେବଳ ଟାଟାପାୱାରକୁ ହିଁ ଫାଇଦା ଦେବାକୁ ଦୁଇଦୁଇଥର କରି ୮୦ ପଇସା ବୃଦ୍ଧି କରିଦିଆଗଲା । ଲୋକେ କରୋନା କଟକଣା ଯୋଗୁଁ ପଦାକୁ ବାହାରି ପାରୁନଥିବା ଆଳରେ ଏପରି ସୁଚିନ୍ତିତ ଓ ବ୍ୟବସ୍ଥିତ ଷଡଯନ୍ତ୍ର ରଚିଛନ୍ତି ସରକାର । ୫୧ ପ୍ରତିଶତ ଅଂଶଧନର ମାଲିକ ଟାଟାପାୱାର ଏବେ ନିଜକୁ ସର୍ବଶକ୍ତିମାନ ମନେକରୁଛି ଏବଂ ଗ୍ରାହକଙ୍କୁ ମନଇଛା ଶୋଷଣ କରୁଛି ବୋଲି ଆଜିର ସାମ୍ବାଦିକ ସମ୍ପିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ ଅଭିଯୋଗ କରିଛନ୍ତି । ଜାଣିସୁଣି ବିଳମ୍ବରେ ବିଲ ଦେବା ଯୋଗୁଁ ଗ୍ରାହକଙ୍କ ଠାରୁ ଚଢ଼ାଦରରେ ଶୁକ୍ଳ ଆଦାୟ କରାଯାଉଛି । 

ଏବଂ ୨୭ଲକ୍ଷ ଗ୍ରାହକଙ୍କ ଠାରୁ ଏହି ଅସତ୍ ଉପାୟରେ କୋଟି କୋଟି ଟଙ୍କା ଲୁଟ କରାଯାଉଛି ବୋଲି ସେ ଏ ସଂକ୍ରାନ୍ତୀୟ ତଥ୍ୟ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ( ଓ.ଇ.ଆର.ସି ) ଏଥ ନେଇ ନୀରବଦ୍ରଷ୍ଟା ଓ ମୁକସାଖୀ ସାଜିବା ପଛରେ ଓଡ଼ିଶା ସରକାରଙ୍କର ବଡ଼ ବଡ଼ ଅଫିସର ଓ ରାଜନେତାଙ୍କ ସଂପୃକ୍ତି ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି ।

ଭିତ୍ତିଭୂମି ବିକାଶରେ ଲେଶ ମାତ୍ର ଅବଦାନ ନଥିବା ଟାଟାପାଙ୍କାର କମ୍ପାନୀର ଏହି ଶୋଷଣ ରାକେର୍ଟରେ ସରକାର ନିଜେ ମଧ୍ୟ ଅଭିଯୁକ୍ତ ବୋଲି ଦଳପକ୍ଷରୁ କୁହାଯାଇଛି । ତେବେ କେବଳ ସେତିକି ନୁହେଁ , ବିନା ସୂଚନାରେ ଘଂଟା ଘଂଟା ବିଦ୍ୟୁତ କାଟିବା , ଅଭିଯୋଗ ପ୍ରତି ଆଦୌ ଗୁରୁତ୍ବ ନଦେବା ସହିତ ଉପଭୋକ୍ତା ମାନଙ୍କୁ କଥା କଥାରେ ଧମକ ଦେବା ମନଇଚ୍ଛା ବିଦ୍ୟୁତ ସଂଯୋଗ କାଟିଦେବା ଟାଟାପାୱାରର ଦାଦାଗିରିର ନମୂନା ବୋଲି କୁହାଯାଇଛି । 

କଟକ ଜିଲ୍ଲା ନିଆଳି ଥାନା ମଝିଖଣ୍ଡ ଗ୍ରାମର ଜଣେ ଗରିବ ଗର୍ଭବତି ମହିଳାଙ୍କୁ ୯ ହଜାର ଟଙ୍କା ଲଂଚ ମାଗିବା ଓ ତାହା ଦେବାରେ ଅସମର୍ଥ ହେବାରୁ ସୌଭାଗ୍ୟ ଯୋଜନାରେ ମାଗଣା ବିଦ୍ୟୁତ ସଂଯୋଗ ପାଇଥିବା ସସ୍ମିତା ପ୍ରଧାନଙ୍କୁ ଧମକ ଦେଖାଇ ବଳପୂର୍ବକ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେବାର ପ୍ରମାଣ ଉପସ୍ଥାପନ କରିଥିଲେ । 

ଅନଲାଇନରେ ପାଠପଢ଼ିବାକୁ ସରକାର କହୁଥିବା ବେଳେ ତାଙ୍କ ପିଲାମାନେ ବିନା ବିଦ୍ୟୁତରେ ଅନ୍ଧାରରେ ପାଠ ପଢ଼ିପାରୁ ନାହାଁନ୍ତି । ଜନସାଧାରଣଙ୍କ ଏପରି ଦୁର୍ଦ୍ଦଶା ବେଳେ , ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିବା ବେଳେ ଟାଟାପାୱାର ଓ ଓଡ଼ିଶା ସରକାରଙ୍କୁ ଏହି ଷଣ୍ଡୁଆସି ଆକ୍ରମଣ ଓ ବୋଝ ଉପରେ ନଳିତା ବିଡ଼ା ନୀତି ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଥିଲେ । 

ଅନ୍ୟତମ ପ୍ରବକ୍ତା ରଜନୀ କୁମାର ମହାନ୍ତି ବିଦ୍ୟୁତ ସରବରାହ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କ୍ଷତିର ବିବରଣୀ ପ୍ରଦାନ କରିଥିଲେ । ଦିଲ୍ଲୀରେ ଏହି କ୍ଷତିର ପରିମାଣ ମାତ୍ର ୧୯.୨୫ ଥିବା ବେଳେ ଓଡ଼ିଶା କ୍ଷେତ୍ରରେ ଏହା ୨୮.୨୪ % କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । କେନ୍ଦ୍ରସରକାରଙ୍କ ଉଦୟ ଯୋଜନାରେ ଏହି କ୍ଷତିକୁ ୧୫ % ଯାଏ ହ୍ରାସ କରିବାକୁ ନିର୍ଦ୍ଧାରିତ ହୋଇଥିଲା ବେଳେ ଓଡ଼ିଶା ସରକାରଙ୍କୁ ଏହି ଲକ୍ଷସ୍ଥଳରେ ପଂହଚିବାକୁ ଆଉ କେତେବର୍ଷ ଲାଗିବ ବୋଲି ସେ କହିଥିଲେ ଏବଂ ଏଥିଯୋଗୁଁ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଓ ପ୍ରୋତ୍ସାହନ ରାଶି ବାବଦରେ ରାଜ୍ୟ ଯେଉଁ ସହାୟତାରୁ ବଂଚିତ ହେବ ସେଥିପାଇଁ ରାଜ୍ୟ ସରକାର ଦାୟି ରହିବେ ବୋଲି ସେ ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ପରିଚାଳନା କରିଥିଲେ ।

Related Posts