କୋଭିଡ୍ ନିୟମ ନମାନିଲେ ପୁଣି ଲକଡାଉନ୍‍ ପାଇଁ ବାଧ୍ୟ ହେବୁ : ମୁଖ୍ୟମନ୍ତ୍ରୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କଭୋଡି ମହାମାରୀର ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି । ବିଶ୍ୱର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଯୋଗୁଁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା କଲେ ସ୍ଥିତି ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ କରାଇ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି ଯେ ଯଦି ସରକାର ଅନୁଭବ କରବେ ଯେ ଲୋକେ କୋଭିଡ ନିୟମକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇ ପାରେ ।

ବୁଧବାର ଦିନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନ୍‌ଲକ୍‌ ପରେ କେତେକ ମାର୍କେଟରେ ଭିଡ ବୃଦ୍ଧି ପାଉଛି । ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହାଦ୍ବାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ । ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ଶେଷ ହୋଇ ନାହିଁ । ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି । ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି । ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ବ ଦେଇ ରାଜ୍ୟରେ ଧୀରେ ଧୀରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଦୂର ହୋଇନାହିଁ । କରୋନା ଭାଇରସ୍‌ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛି । ତେଣୁ ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧି ବାହାରକୁ ବାହାରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ବାହା ହିଁ ଆମେ ତୃତୀୟ ଲହରକୁ କମ୍‌ କରିଦେଇପାରିବା ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାମାରୀର ଦ୍ୱିତୀୟ ଲହର ସମୟରେ ଆମେ ସମସ୍ତେ ଦେଖିଲେ ଯେ କରୋନା ଭାଇରସ୍ କାହାରିକୁ ବି ଛାଡି ନାହିଁ । ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି । ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସରକ୍ଷା ଦେଉଛି । କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି।

ଦ୍ୱିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ସ୍ଥିତି ତୁଳନାରେ ଓଡିଶାର ସ୍ଥିତି ସେତେଟା ସାଙ୍ଘାତିକ ନଥିଲା। ଆମର ଡାକ୍ତର ଓ ସ୍ୱାସ୍ଥକର୍ମୀ ମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଡାକ୍ତର ମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି । ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ ।

ଦ୍ବିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ରାଜ୍ୟବାସୀଙ୍କୁ କହିଛନ୍ତି ଯେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ । ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ ।’

Related Posts