ଲଘୁଚାପ ଜନିତ ଲଗାଣ ବର୍ଷାକୁ ‘ରାଜ୍ୟ ବିପତ୍ତି’ ଘୋଷଣା କଲେ ସରକାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରବିବାର ଏବଂ ସୋମବାର ଦିନ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା  ଅନେକ ସମସ୍ୟା ସୃଷ୍ଟି କରିଛି। ପ୍ରାୟତଃ ଅଧିକାଂଶ ଜାଗାରେ ରୋଡ୍ ଉପରେ ପାଣି ଯାଉଥିବାର ଦେଖିବାକୁ ମିଳିଥିଲା। ଅନେକଙ୍କ ଘର ଭିତରେ ପାଣି ପଶି ଯାଇଥିଲା। ଏସ୍ଆରସିଙ୍କ ସୂଚନା ମୁତାବକ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ରାଜ୍ୟ ସରକାର ଏହାକୁ  ‘ରାଜ୍ୟ ବିପତ୍ତି’ ବୋଲି ଘୋଷଣା କରିଛନ୍ତି। ଏହାସହ ଆସନ୍ତା ୨୨ ତାରିଖ ସୁଦ୍ଧା ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଧନଜୀବନ ହାନି ହେବା ସହ ଘର, ଚାଷ ଜମି , ପଶୁଜନ୍ତୁ ଆଦି ନଷ୍ଟ ହୋଇଛି । ତେଣୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଣ୍ଠିରୁ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସହାୟତା ଯୋଗାଇ ଦେବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ଏସ୍ଆରସି କହିଛନ୍ତି।

ଓଡ଼ିଶା ରିଲିଫ କୋଡ୍‌ର ଅନୁଚ୍ଛେଦ-୩ ଅନୁସାରେ ୩ଦିନ ଧରି ଲଗାତାର ବର୍ଷା ହେଲେ କିମ୍ବା ମାସକର ହାରାହାରି ବର୍ଷା ତୁଳନାରେ ୩ଗୁଣା ଅଧିକ ବର୍ଷା ବ୍ଲକ ଓ ଅଚଂଳରେ ହୋଇଥିଲେ ତାକୁ ‘ପ୍ରବଳ ବର୍ଷା’ ଭାବେ ବିବେଚନା କରାଯିବ। ରାଜ୍ୟ ସରକାର ଏହି ‘ପ୍ରବଳ ବର୍ଷା’କୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିସାରିଛନ୍ତି। 

ତେଣୁ ଏହି ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳରେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ଏବଂ ରିଲିଫ କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ କରାଯାଇପାରିବ। ଏଥିପାଇଁ ସପ୍ତାହେ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ କଲେ ପାଣ୍ଠି ଆବଣ୍ଟନ କରାଯିବ ବୋଲି ଏସ୍ଆରସି ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଚଳିତମାସ ୨୨ତାରିଖ ସୁଦ୍ଧା କ୍ଷୟକ୍ଷତି ଆକଳନ ରିପୋର୍ଟ ମିଳିଲେ ପ୍ରଭାବିତ ଲେକାଙ୍କୁ ସହାୟତା ଦିଆଯାଇପାରିବ। ସୂଚନାଯୋଗ୍ୟ, ଲଗାଣ ବର୍ଷା ପ୍ରଭାବରେ ୧୧ଟି ଜିଲ୍ଲାର ୫୩ଟି ବ୍ଲକର ୧୯.୫୩ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ୩୮୧୯ଜଣଙ୍କୁ ସ୍ଥାନାନ୍ତର ଓ ୨୬୫ଟି ଘର ଭାଙ୍ଗିଥିବା ଜଣାପଡ଼ିଛି ।

Related Posts