ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫,୧୧୨ ଟଙ୍କା , ୬୧.୨% ଚାଷୀ ପରିବାର ଋଣଗ୍ରସ୍ତ : ରିପୋର୍ଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଗୋଟିଏ ଚାଷୀ ପରିବାରର ମାସିକ ହାରାହାରି ଆୟ ହେଉଛି ମାତ୍ର ୫,୧୧୨ ଟଙ୍କା। ତେବେ ଏହି ୫,୧୧୨ ଟଙ୍କା ମଧ୍ୟରେ ଫସଲରୁ ମିଳୁଛି ୧,୫୫୯ ଟଙ୍କା, ମଜୁରିରୁ ୨,୬୪୯ ଟଙ୍କା, ଭାଗ ଚାଷରୁ ୨୯ ଟଙ୍କା, ପଶୁ ସଂପଦରୁ ୪୧୬ ଟଙ୍କା ଓ ଅଣ କୃଷି କାର୍ଯ୍ୟରୁ ୪୪୯ ଟଙ୍କା ମିଳୁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ଅନୁଯାୟୀ ଦେଶରେ ସବୁଠାରୁ କମ୍ ହାରାହାରି ମାସିକ ଆୟ ତାଲିକାରେ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡିଶାର ସ୍ଥାନ ହେଉଛି ଦ୍ବିତୀୟ ।

ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ଚା‌ଷୀମାନଙ୍କ ସ୍ଥିତି ଉପରେ ୭୭ତମ ସର୍ବେକ୍ଷଣର ଆକଳନ କରାଯାଇଥିଲା। ଏଥିରେ ଜମି, ମଜୁରି, ଭାଗ ଚାଷ, ଫସଲ ବ୍ୟତୀତ ଅନ୍ୟ ଉପାୟରେ ହେଉଥିବା ଆୟକୁ ମଧ୍ୟ ସର୍ବେକ୍ଷଣରେ ପରିମାପ ଭାବେ ଗ୍ରହଣ କରାଯାଇଥିଲା। ତେବେ ଏହି ରିପୋର୍ଟ ଅନୁଯାୟୀ, ମେଘାଳୟର ଚାଷୀ ପରିବାର ଦେଶରେ ମାସିକ ସର୍ବାଧିକ ୨୯,୩୪୮ ଟଙ୍କା ଆୟ କରୁଥିବା ବେଳେ ପଞ୍ଜାବ ଚାଷୀ ୨୬,୭୦୧ ଟଙ୍କା ଓ ହରିୟାଣା ଚାଷୀଙ୍କ ୨୨,୮୪୧ ଟଙ୍କା ରହିଛି। ସେହିପରି ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ର ଚାଷୀଙ୍କ ମାସିକ ଆୟ ୯,୬୭୭ଟଙ୍କା, ତେଲେଙ୍ଗାନା ୯,୪୦୩ଟଙ୍କା, ୟୁପି ୮,୬୦୧ ଟଙ୍କା, ମଧ୍ୟପ୍ରଦେଶ ୮,୩୩୯ ଟଙ୍କା, ବିହାର ୭,୫୪୨ଟଙ୍କା ଏବଂ ପଶ୍ଚିମବଙ୍ଗର ଚାଷୀ ପରିବାରଙ୍କ ମାସିକ ଆୟ ୬,୭୬୨ ଟଙ୍କା ।

ତେବେ ଏହି ରିପୋର୍ଟ କହୁଛି ଯେ ରାଜ୍ୟର ୬୧.୨ ପ୍ରତିଶତ ଚା‌ଷୀ ପରିବାର ହେଉଛନ୍ତି ଋଣଗ୍ରସ୍ତ। ଓଡ଼ିଶାର ଚାଷୀମାନେ ଋଣଗ୍ରସ୍ତ କ୍ଷେତ୍ରରେ ଦେଶର ଷଷ୍ଠ ସ୍ଥାନରେ ଅଛନ୍ତି। ଋଣ ଗ୍ରସ୍ତ ଚାଷୀ ପରିବାର ହାରାହାରି ୩୨ ହଜାର ୭୨୧ ଟଙ୍କା ଋଣ ନେଇଛନ୍ତି । ଏଥି ମଧ୍ୟରୁ ବାଣିଜ୍ୟିକ ବ୍ୟାଙ୍କରୁ ୧୮.୮ ପ୍ରତିଶତ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରୁ ୩.୮ ପ୍ରତିଶତ, ସମବାୟ ବ୍ୟାଙ୍କରୁ ୧.୮ ପ୍ରତିଶତ, ସ୍ବୟଂ ସହାୟକ ଗୋଷ୍ଠୀରୁ ୧୧.୫ ପ୍ରତିଶତ ଏବଂ ଅନ୍ୟାନ୍ୟ ସଂସ୍ଥା ମାନଙ୍କରୁ ୫.୪ ପ୍ରତିଶତ ଋଣ କରିଛନ୍ତି। ଏତଦ୍ ବ୍ୟତୀତ ଗାଁ ମାନଙ୍କରେ ରହୁଥିବା ସାହୁକାରଙ୍କଠାରୁ ୦.୬ ପ୍ରତିଶତ, ବୃତ୍ତିଗତ ସାହୁକାରଙ୍କ ଠାରୁ ୨୧.୩ ପ୍ରତିଶତ, ସଂପର୍କୀୟ ଓ ସାଙ୍ଗସାଥୀମାନଙ୍କ ପାଖରୁ ୯.୮ ଏବଂ ଅଣସଂସ୍ଥାଗତ ଉତ୍ସରୁ ୫.୮ ପ୍ରତିଶତ ଚାଷୀ ଋଣ କରିଥିବା ନେଇ କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି ।

କୃଷି ଋଣରୁ ଚାଷୀମାନେ ୫୦.୨ ପ୍ରତିଶତ ସେମାନଙ୍କ କୃଷି କାର୍ଯ୍ୟରେ ବ୍ୟୟ କରିଥିବା ବେଳେ କୃଷି ବ୍ୟବସାୟରେ ୪.୨ ପ୍ରତିଶତ, ଘର ନିର୍ମାଣ ପାଇଁ ୧୩.୨ ପ୍ରତିଶତ, ବିବାହ ଓ ସମାରୋହରେ ୮.୪ ପ୍ରତିଶତ, ଶିକ୍ଷା ଓ ସ୍ବାସ୍ଥ୍ୟରେ ୯.୯ ପ୍ରତିଶତ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧୦.୨ ପ୍ରତିଶତ ଖର୍ଚ୍ଚ କରିଥିବା ନେଇ ରିପୋର୍ଟରେ କୁହାଯାଇଛି। ଦେଶରେ ମୋଟ ୫୦.୨ ପ୍ରତିଶତ ଚାଷୀ ପରିବାର ଋଣ ନେଇଥିବା ବେଳେ ହାରାହାରି ବକେୟା ଋଣ ହାରାହାରି ୭୪ ହଜାର ୧୨୧ ଟଙ୍କା ରହିଛି। ଆନ୍ଧ୍ରପ୍ରଦେଶ ଚାଷୀ ପରିବାର ସର୍ବାଧିକ ୯୩.୨ ପ୍ରତିଶତ ଋଣଗ୍ରସ୍ତ ହୋଇଥିବା ବେଳେ ହାରାହାରି ବକେୟା ଋଣ ପରିମାଣ ୨ ଲକ୍ଷ ୪୫ ହଜାର ୫୫୪ ଟଙ୍କା ରହିଛି । ଋଣ ଗ୍ରସ୍ତ ଚାଷୀ ପରିବାର ତାଲିକାରେ ଆନ୍ଧ୍ର ପରେ ରହିଛି ତେଲେଙ୍ଗାନା, କେରଳ , କର୍ଣ୍ଣାଟକ ଓ ତାମିଲନାଡୁ ।

Related Posts