ଓଡିଶା ପିଆଜ ଯାଉଛି କୁଆଡେ ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଓଡିଶାରେ ଉତ୍ପାଦନ ହେଉଥିବା ପିଆଜ ଯାଉଛି କୁଆଡେ ? ରାଜ୍ୟ ସରକାର  ପିଆଜ ଚାଷ କରିବା ପାଇଁ ଯେତିକି ସହାୟତା ଦେଉଛନ୍ତି ତାହାଠାରୁ ଅଧିକ ଟଙ୍କା ସଂରକ୍ଷଣ ପାଇଁ ଖର୍ଚ୍ଚ କରୁଛନ୍ତି । ତେବେ ଏହବୁ ରିହାତି ସତ୍ବେ ବି ଓଡିଶାର ପିଆଜ ଯାଉଛି କୁଆଡେ ?  ଏପ୍ରିଲ୍‍ ଓ ମେ ମାସରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ମେଟ୍ରିକ ଟନ୍‍ ପିଆଜ ଉତ୍ପାଦନ ହୋଇଥାଏ । ସରକାର ନିଜେ କହୁଛନ୍ତି ଯେ ଏତିକି ପିଆଜ ରାଜ୍ୟର ଚାହିଦା ପୂରଣ କରି ପାରିବ । ତେବେ ଅଧିକ ପିଆଜ ଉତ୍ପାଦନ କରିବା ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ସରକାର ହାତକୁ ନେଇଥିବା କାର୍ଯ୍ୟକ୍ରମ ମାଧ୍ୟମରେ ଗୋଟିଏ ହେକ୍ଟର ପିଆଜ ଚାଷ ପାଇଁ ୫୮ହଜାର ଟଙ୍କାର ସହାୟତା ଦେଉଛନ୍ତି ।

କେବଳ ଚାଷ ପାଇଁ ନୁହେଁ ବରଂ ପିଆଜକୁ ସଂରକ୍ଷଣ କରି ରଖିବା ପାଇଁ ବି ଅର୍ଥିକ ସହାୟତା ଦେଉଛନ୍ତି । ପିଆଜକୁ ଶୀତଳଭଣ୍ଡାରରେ ରଖାଯାଇ ନଥାଏ। ତେଣୁ ୨୫ ମେଟ୍ରିକ ଟନ୍‍ କ୍ଷମତା ବିଶିଷ୍ଟ ପିଆଜ ସାଇତା ଗୃହ ନିର୍ମାଣ ପାଇଁ ୫୦ ପ୍ରତିଶତ ରିହାତି ବା ସର୍ବାଧିକ ୮୭,୫୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ଏହି ସାଇତା ଗୃହରେ କୃଷକ ମାନେ ଉତ୍ପାଦନ କରୁଥିବା ପିଆଜକୁ ୩ ରୁ ୪ ମାସ ରଖିପାରିବେ ।

ତେବେ ଏ ସବୁ ସତ୍ୱେ ବି ଓଡିଶାକୁ ବାହାର ରାଜ୍ୟରୁ ପିଆଜ ନଆସିଲେ ଏଠାରେ ସଙ୍କଟ ଦେଖାଯାଇଥାଏ । ଓଡ଼ିଶା ବିଶେଷ ଭାବେ ମହାରାଷ୍ଟ୍ରର ନାସିକ ପିଆଜ ମଣ୍ଡି ଉପରେ ନିର୍ଭରଶୀଳ । ବର୍ଷ ତମାମ ନାସିକ୍ ରୁ ଓଡିଶାକୁ ପିଆଜ ଆସିଥାଏ। ବର୍ତ୍ତମାନ ଡିଜେଲ ଦର ବୃଦ୍ଧି ପାଉଥିବାରୁ ରାଜ୍ୟବାସୀଙ୍କ ଉପରେ ଏହାର ପ୍ରଭାବ ପଡୁଛି । ଏବେ ବି ପିଆଜ କିଲୋ ୩୫ରୁ ୪୦ଟଙ୍କାରେ ବିକ୍ରି ହେଉଛି । ତେଣୁ ବ୍ୟବସାୟୀମାନେ ଏହି ଦରବୃଦ୍ଧି ପାଇଁ ଅନ୍ୟ ରାଜ୍ୟର ମଣ୍ଡି ଓ ଗାଡିଭଡାକୁ ଦାୟୀ କରୁଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ଯେ ଓଡିଶାରେ ଉତ୍ପାଦିତ ହେଉଥିବା ପିଆଜ ଯାଉଛି କୁଆଡେ ? ମିଳିଥିବା ସୂଚନା ମୁତାବକ ଓଡିଶାରୁ ଉତ୍ପାଦିତ ହେଉଥିବା ପିଆଜ ଅମଳ ସମୟରେ ହିଁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ କିଣି ନେଉଛନ୍ତି । ବିପୁଳ ରିହାତି ସତ୍ୱେ ବି ରାଜ୍ୟରେ ପିଆଜ ସଂରକ୍ଷିତ ରଖାଯାଇ ପାରୁ ନାହିଁ । ତେଣୁ ବର୍ଷ ତମାମ ରାଜ୍ୟବାସୀ ବାହାର ରାଜ୍ୟ ଉପରେ ନିର୍ଭରଶୀଳ । ଏ ବାବଦରେ ରାଜ୍ୟରୁ ପ୍ରତିବର୍ଷ ଶହ ଶହ କୋଟି ଟଙ୍କା ବାହାର ରାଜ୍ୟକୁ ଚାଲିଯାଉଥିବାବେଳେ ଓଡିଶାରେ ପିଆଜ ପାଇଁ ସରକାରଙ୍କ ସବସିଡ୍‍ ଅର୍ଥ ପାଣିରେ ପଡିବା ଭଳି ଅବସ୍ଥା ହୋଇଛି ।

Related Posts