ଅଦାଲତ ଅବମାନନା ମାମଲାରେ ଗଣଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଦାଲତ ଅବମାନନା ମାମଲାରେ ସ୍କୁଲ୍ ଓ ଗଣଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ । ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖରେ ଗଣଶିକ୍ଷା ସଚିବ ବ୍ୟକ୍ତିଗତ ଭାବେ ଉଚ୍ଚ ନ୍ୟାୟାଳୟଙ୍କ ସମ୍ମୁଖରେ ହାଜର ହେବେ। ଏ ନେଇ କୋର୍ଟ ନିର୍ଦେଶ ଦେଇଛନ୍ତି। ଗଣଶିକ୍ଷା ସଚିବ ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଛନ୍ତି। ତେଣୁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବ, ସେ ନେଇ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  

ସୂଚନାଯୋଗ୍ୟ ଯେ ଏହି ମାମଲା ବିଚାରାଧୀନ ରହିଥିବା ବେଳେ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ୨୦୧୮, ଏପ୍ରିଲ ୨୧ ରେ ଗଣଶିକ୍ଷା ସଚିବ ଦେଇଥିବା ଆଦେଶ ପ୍ରତ୍ୟାହାର କରିପାରିବେ। ଏହା ସଙ୍ଗେ ସଙ୍ଗେ ପୂର୍ବ ନିର୍ଦ୍ଦେଶକୁ କଡାକଡ଼ି ଭାବେ ପାଳନ କରାଯାଇ ଏ ସଂପର୍କିତ କଂପ୍ଲାଏନ୍ସ ରିପୋର୍ଟ ଦାଖଲ କରାଯାଇ ପାରିବ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। 

ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୋଭାରାଣୀ ମହାନ୍ତିଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଛନ୍ତି ଆଇନଜୀବୀ ଜେ.କେ.ମିଶ୍ର ।

Related Posts