ଜେଏନୟୁର ମୁଖ୍ୟ ଫାଟକରେ ସାଫ୍ରନ ପତାକା ଲଗାଇଲା ହିନ୍ଦୁ ସେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜେଏନୟୁର ମୁଖ୍ୟ ଫାଟକରେ ସାଫ୍ରନ ପତାକା ଲଗାଇଲା ହିନ୍ଦୁ ସେନା । ସେପଟେ ରାମ ନବମୀରେ ଆମିଷ ଖାଇବାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମାମଲାର ସମାଧାନ ହୋଇପାରି ନଥିବାବେଳେ ସାମ୍ନାକୁ ଆସିଛି ଏଭଳି ଚିତ୍ର । ହିନ୍ଦୁ ସେନା ନାମକ ଏକ ସଙ୍ଗଠନ ପକ୍ଷରୁ ଜେଏନୟୁ ମୁଖ୍ୟ ଫାଟକରେ ସାଫ୍ରନ ପତାକା ଲଗାଯାଇଛି । କେବଳ ଏତିକି ନୁହେଁ ବରଂ ଏହି ସଂସ୍ଥା ଜେଏନୟୁ କ୍ୟାମ୍ପସ ଏବଂ ଏହାର କାନ୍ଥରେ ସାଫ୍ରାନ ଜେଏନୟୁ ନାମକ ପୋଷ୍ଟର ମଧ୍ୟ ରଖିଛି ।

ଏହି ଘଟଣାର ନୋଟିସ ଆସିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଶ୍ୱବିଦ୍ୟାଳୟ ପରିସରରୁ ସମସ୍ତ ସାଫ୍ରାନ ପତାକା ହଟାଇ ଦିଆଯାଇଥିଲା । ସେପଟେ ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି । ଅନ୍ୟପଟେ ରାମ ନବମୀ ଦିନ ଜେଏନୟୁର କାବେରୀ ହଷ୍ଟେଲ ମେସରେ ନନଭେଜ ଖାଦ୍ୟ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ତେବେ ବର୍ତ୍ତମାନ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts