ଓଲିଉଡ୍‌ କାଷ୍ଟିଂ କାଉଚ୍‌ ମାମଲା; ଯୁବତୀଙ୍କ ନାମରେ ପାଲଟା ଅଭିଯୋଗ ଆଣିଲେ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କାଷ୍ଟିଂ କାଉଚ୍‌କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ଓଲିଉଡ୍‌ । ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାମରେ ଗତକାଲି ଜଣେ ଯୁବତୀ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଥିଲେ। ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଶୁକ୍ରବାର ଅକ୍ଷୟ ନୟାପଲ୍ଲୀ ଥାନାରେ ସମ୍ପୃକ୍ତ ଯୁବତୀଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ ଅନୁଯାୟୀ, କେତେଜଣଙ୍କ ସହ ମିଶି ଯୁବତୀ ଜଣକ ତାଙ୍କୁ ନିର୍ଯାତନା ଦେବା ସହ ଟଙ୍କା ମାଗୁଛନ୍ତି। ଧମକ ଦେଇ ଭୟଭୀତ କରାଉଛନ୍ତି। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ଅକ୍ଷୟ ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ଆଇପିସି ଦଫା ୩୮୪, ୩୮୫, ୫୦୬, ୧୨୦(ବି)ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଥାନା ପକ୍ଷରୁ ମାମଲା ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ।

ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବତୀଙ୍କ ସହ ଅକ୍ଷୟଙ୍କର କିଛି ଆପତ୍ତିଜନକ ଫଟୋ ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ ହେଉଛି। ଏହାକୁ ନେଇ ଓଲିଉଡ୍‌ ସହ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏଥିସହ ସମ୍ପୃକ୍ତ ଯୁବତୀଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଯୁବତୀଙ୍କ କହିବା ଅନୁଯାୟୀ, ‘ମୁଁ ହରିଜନ ଜାତିର ଝିଅ। ଦୀର୍ଘବର୍ଷ ହେଲା ପ୍ରଯୋଜକ ଅକ୍ଷୟ ପରିଜା ମୋ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି। ମୋର ନ୍ୟୁଡ୍‌ ଫଟୋ ରଖି ବ୍ଲାକ୍‌ମେଲ କରୁଛନ୍ତି। ପ୍ରତିବାଦ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ମୋ ବାହାଘର ଠିକ୍‌ ହୋଇଛି। ସେ କହୁଛନ୍ତି, ଯଦି ତୁ ବାହାହେବୁ ତା’ହେଲେ ସେ ପୁଅ ସହ ରଖେଇ ଦେବିନି। ଆଉ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ମୁଁ ଏବେ ଆଶା ରଖୁଛି, ମୋତେ ଆପଣ ନ୍ୟାୟ ଦିଅନ୍ତୁ’।

ସେପଟେ ସମ୍ପୃକ୍ତ ଯୁବତୀଙ୍କ ପକ୍ଷରୁ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରାଯାଇଥିବା ଚର୍ଚ୍ଚା ହେଉଥିବାବେଳେ ସେପରି କୌଣସି ଅଭିଯୋଗ ହୋଇନାହିଁ ବୋଲି ଥାନାଧିକାରୀ ଓମ୍‌ ପ୍ରକାଶ ମହାନ୍ତି କହିଛନ୍ତି। ମିଳିଥିବା ସୂଚନାନୁସାରେ, ଯୁବତୀ ଜଣକ ଅଭିଯୋଗ ଲେଖି ଥାନାକୁ ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଅଭିଯୋଗ ନ କରି ଥାନାରୁ ପଳାଇ ଆସିଥିଲେ। ଏବେ ଯୁବତୀଙ୍କ ଭିଡିଓ ଓ ପ୍ରଯୋଜକ ଅକ୍ଷୟଙ୍କ ଅଭିଯୋଗକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯୁବତୀ ଜଣକ କାହିଁକି ଥାନାରେ ଅଭିଯୋଗ କଲେ ନାହିଁ, କାଷ୍ଟିଂ କାଉଚ ଘଟଣା ସତ ନା ମିଛ, ଭାଇରାଲ ହେଉଥିବା ଫଟୋର ସତ୍ୟତା କେତେ, ଏଭଳି ବିଭିନ୍ନ ଦିଗକୁ ନେଇ ଏକାଧିକ ପ୍ରଶ୍ନ ସୃଷ୍ଟି ହେଉଛି। ତେବେ ପୋଲିସ ଅକ୍ଷୟଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି।

Related Posts