(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁଣି ଅଲୋଡା ହେଲା ଶିଶୁ ପୁତ୍ର । ବ୍ୟାଗ୍ ଭିତରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀରରେ। ବୁଧବାର ସକାଳେ ବଲାଙ୍ଗିର ସହର ରେଲୱେ ଷ୍ଟେସନ ରାସ୍ତାରେ ବଲାଙ୍ଗୀର ରେଲୱେ ଷ୍ଟେସନ ରାସ୍ତାର ତେଲିଗୋଠପଡା ବ୍ରିଜ ତଳ ଅଳିଆଗଦାରୁ ନବଜାତ ଶିଶୁ ପୁତ୍ରଟି ଉଦ୍ଧାର ହୋଇଛି। ଶିଶୁଟିକୁ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ସେଠାରୁ ଉଦ୍ଧାର କରିଛନ୍ତି ।
ସ୍ଥାନୀୟ ଅଞ୍ଚଳରେ କିଛି ଶ୍ରମକ ସେଠାରେ କାମ କରୁଥିବା ସମୟରେ ବ୍ରିଜ ତଳେ ଛୋଟ ଛୁଆ କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ପାଖରେ ଥିବା କିଛି ମହିଳାଙ୍କୁ ଏନେଇ ସୂଚନା ଦେଇଥିଲେ। ଏହା ପରେ ଘଟଣାସ୍ଥଳକୁ ଯାଇଥିଲେ ସ୍ଥାନୀୟ ମହିଳା । ମହିଳା ଜଣଙ୍କ ବ୍ରିଜ ତଳକୁ ଓହ୍ଲାଇ ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିଲେ ।
ଉକ୍ତ ଶିଶୁଟି କମ୍ବଳ ଘୋଡାଇ ଏକ ପଲିଥିନ ବ୍ୟାଗରେ ପରିତ୍ୟକ୍ତ ସ୍ଥାନରେ ମୁର୍ମୂଷୁ ଅବସ୍ଥାରେ ପଡିଥିଲା । ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରି ଟାଉନ ଥାନା ପୋଲିସକୁ ଜିମା ଦେଇଥିଲେ । ଟାଉନ ଥାନା ପୋଲିସ ପିଲାଟିକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ହସ୍ପିଟାଲର ଏସ.ଏନ.ସି.ୟୁରେ ଭର୍ତ୍ତିକରି ଶିଶୁଟିର ଚିକିତ୍ସା କରାଯାଉଛି ।
ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବାବେଳେ ବୁଦା ଭିତରେ ପିମ୍ପୁଡି କାମୁଡିଥିବାରୁ ଶିଶୁଟିର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଡାକ୍ତର କହିଛନ୍ତି । ଚିକିତ୍ସା ପରେ ପୋଲିସ ଶିଶୁଟିକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି । ନିୟମ ଅନୁଯାୟୀ ଶିଶୁଟିକୁ ଚାଇଲ୍ଡ କେୟାର ସେଣ୍ଟରରେ ରଖାଯିବ । ତେବେ କିଏ ଓ କଣ ପାଇଁ ଶିଶୁପୁତ୍ରଟିକୁ ବ୍ୟାଗରେ ଭର୍ତ୍ତିକରି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗି ଦେଇଥିଲା ତାହା ଜଣାପଡିନାହିଁ।