ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ଯୋଡ଼ା ଥାନା, ଭାଗଲପୁର ମୁଣ୍ଡା ସାହିରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଖବର । ସ୍ତ୍ରୀକୁ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହେବାପରେ ମାଟି ତଳୁ ୭ଦିନ ପରେ ମୃତଦେହକୁ ଉଦ୍ଧାର କରିଛି ଯୋଡ଼ା ପୋଲିସ୍ । ମୃତକ ହେଉଛନ୍ତି ଭାଗଲପୁର ମୁଣ୍ଡା ସାହିର ରାମ ସିଂ ମୁଣ୍ଡାଙ୍କ ଦ୍ଵିତୀୟ ପତ୍ନୀ ବୁଧୁନି ମୁଣ୍ଡା । ତେବେ ବୁଧୁନିକୁ ହତ୍ୟା କରାଯାଇଥିବା ନେଇ ବାପ ଘର ଲୋକେ ଅଭିଯୋଗ କରିବା ପରେ ଆଜି ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବରକୁ ଖୋଳାଯାଇ ବୁଧୁନିଙ୍କ ମୃତଦେହ ବାହାର କରାଯାଇଛି ।ଇନକ୍ୱେଷ୍ଟ ପରେ ମୃତ ଦେହକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି ପୋଲିସ୍ ।
ସୂଚନା ଅନୁସାରେ, ୪ ବର୍ଷ ତଳେ ରାମ ସିଂ ମୁଣ୍ଡାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଝାଡଖଣ୍ଡ, ଜଗନ୍ନାଥପୁର ଅଞ୍ଚଳର ଲଖନ୍ ହିସାଙ୍କ ଝିଅ ବୁଧୁନିକୁ ବିବାହ କରିଥିଲେ । ତେବେ ସ୍ୱାମୀ ରାମ ସିଂ ମୁଣ୍ଡା ବିଭିନ୍ନ ସମୟରେ ସ୍ତ୍ରୀ ବୁଧୁନିକୁ ମାଡ଼ପିଟ୍ କରୁଥିବା ଦାବି କରିଛନ୍ତି ବୁଧୁନିଙ୍କ ପରିବାର ଲୋକ । ତେବେ ଗତ ଗୁରୁବାର, ଘର ଠାରୁ ଅଳ୍ପ ଦୂରରେ ଥିବା ଏକ ପଣସ ଗଛରେ ରସି ଲଗାଇ ବୁଧୁନି ଆତ୍ମହତ୍ୟା କରିଥିବା ନେଇ ରାମ ସିଂ ଫୋନ ଯୋଗେ ୱାର୍ଡ ମେମ୍ବରଙ୍କୁ ଜଣାଇଥିଲା। ଏହାପରେ ପୁଲିସ୍କୁ କିମ୍ବା ବୁଧୁନିଙ୍କ ବାପଘର ଲୋକଙ୍କୁ ସୂଚନା ନ ଦେଇ ସେ ମୃତଦେହକୁ ପୋତି ଦେଇଥିଲେ।
ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ବାପ ଘର ଲୋକେ ଜାଣିବାକୁ ପାଇବା ପରେ ବୁଧୁନିଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଗତକାଲି ବୁଧୁନିଙ୍କ କକା ସୁରେଶ ହିସା ଯୋଡ଼ା ଥାନାରେ ହତ୍ୟା ଅଭିଯୋଗ କରିଥିଲେ ।
ଏହାପରେ ପୁଲିସ୍ ଘଟଣାକୁ ଗୁରୁତ୍ଵ ଦେଇ ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ ରାମ ସିଂ ମୁଣ୍ଡାକୁ ଅଟକ ରଖି ପଚରାଉଚରା କରିଥିଲା । ପୁଲିସ୍ ଜେରା ବେଳେ ସବୁ ସତ ମାନି ଯାଇଥିଲା ରାମ ସିଂ । ଏହାପରେ ପୁଲିସ୍ ରାମ ସିଂଙ୍କୁ ଧରି ଘଟଣାସ୍ଥଳକୁ ଯାଇ ମାଟି ଖୋଲି ଶବ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ କହିଛି । ରାମ ସିଂକୁ ଅଟକ ରଖି ପୁଲିସ୍ ଅଧିକ ତନାଘନା ଚଳାଇଛି।
