‘ପଦ୍ମପୁରରେ ଡିଲ ନୁହେଁ, ଲୋକେ ଆମକୁ ପ୍ରତ୍ୟାଖାନ କଲେ’: ନରସିଂହ ମିଶ୍ର

ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ-ବିଜେଡି ମଧ୍ୟରେ ଡିଲ ହୋଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସ ଉପରେ ଲାଗିଥିବା ଏହି ଆରୋପକୁ ଖଣ୍ଡନ କରିଛନ୍ତି ନରସିଂହ । ସେ କହିଛନ୍ତି ଯେ, କେନ୍ଦ୍ରର ଚାରି ଚାରି ଜଣ ମନ୍ତ୍ରୀ ଆସିକି ଦୃଢୋକ୍ତି ପ୍ରକାଶ କଲେ କି ଆମେ ପଦ୍ମପୁରରେ ଜିତିବୁ ବୋଲି, ହେଲେ ଜିତିଲେ କି ? ନବ ଦାସ ଆମ ଦଳ ସହ ବେଇମାନି କରି ଛାଡ଼ି ଚାଲିଗଲେ। ବନ୍ଧୁତା କୋଉଁଠି ରହିଲା ଯେ ଡିଲ କରିବେ। ୪୨ ହଜାର ଭୋଟରେ ହାରି ନିଜେ ଆତ୍ମସନ୍ତୋଷ ପାଇବା ପାଇଁ ଏଭଳି ଅବାସ୍ତବ କଥା ବିଜେପି ନେତା କହୁଛନ୍ତି। ପ୍ରଦୀପ ପୁରୋହିତ ବାଧ୍ୟ ବାଧ୍ୟକତାରେ ଏମିତି କଂଗ୍ରେସ ଭୋଟ ବିକ୍ରି କଥା କହୁଛନ୍ତି। ଆମେ ଭୋଟ ପାଇଲୁ ନାହିଁ ମାନେ ନୁହେଁ ଯେ ଭୋଟ ବିକିଦେଲୁ। ଲୋକ ଆମକୁ ପ୍ରତ୍ୟାଖ୍ୟାନ କଲେ। ଏଭଳି ସ୍ଥିତି ଜାରି ରହିଲେ ଆମ ଅବସ୍ଥା ଆଗକୁ ଆହୁରି ସାଙ୍ଘାତିକ ହେବ।

ଏହାସହିତ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏକ ପ୍ରଶ୍ନରେ ନରସିଂହ କହିଛନ୍ତି ଯେ, ରାଜନୈତିକ ପାଣିପାଗର ଭାବିଷ୍ୟତ୍ୱବାଣୀ ଦେବା କଷ୍ଟକର। ରାଜନୀତିରେ ୨୦୨୪ରେ କଣ ହେବ ଆକଳନ କରହେବ ନାହିଁ। କିନ୍ତୁ ମୋର ଆଶା କଂଗ୍ରେସ ଅତୀତର ଦୋଷ ଦୁର୍ବଳତାକୁ ଭୁଲି ଆତ୍ମସମୀକ୍ଷା କରିବ। ଗୁରୁତର ସହ ବିଚାର କରି ନିଷ୍ପତି ନେବ। ଆମ ନେତା ଖାଲି ଭୁବନେଶ୍ୱରରେ ରହି ରାଜନୀତି କରି ଗଣମାଧ୍ୟମରେ ବାଇଟ ଦେଲେ ଦଳର କିଛି ଲାଭ ହେବନି ବୋଲି ନରସିଂହ କହିଛନ୍ତି ।

Related Posts