ଆସନ୍ତା ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଅବସର ଦେବ ଭାରତୀୟ ବାୟୁସେନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଭାରତୀୟ ବାୟୁସେନା ପକ୍ଷରୁ ଅବସର ଦିଆଯିବ । ଏନେଇ ବାୟୁସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ସେପ୍ଟେମ୍ୱର ୩୦ରେ ମିଗ-୨୧ ଯୁଦ୍ଧ ବିମାନର ଗୋଟିଏ ସ୍କ୍ୱାଡନକୁ ପ୍ରଥମେ ଅବସର ଦେବ ବାୟୁସେନା ।ବାୟୁସେନାର ଯୁଦ୍ଧ ବିମାନ ମିଗ୍ ୨୧ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବାର ଘଟଣା ସାମ୍ନାକୁ ଆସିଛି ।ନିକଟରେ ଏହି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ଯୋଗୁଁ ଅନେକ ଜୀବନ ମଧ୍ୟ ଯାଇଛି ।

ଗୁରୁବାର ଜୁଲାଇ ୨୮ ସଂଧ୍ୟାରେ ମିଗ-୨୧ ଯୁଦ୍ଧ ବିମାନ ରାଜସ୍ଥାନର ବାରମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯୁବ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଏ.ବାଲ ଏବଂ ୱିଙ୍ଗ କମାଣ୍ଡର ରାଣାଙ୍କ ମୃତ୍ୟୁ ହୋଇଥିଲା।ଆସନ୍ତା ସେପ୍ଟେମ୍ୱର ୩୦ରେ ୫୧ ସ୍କ୍ୱାଡନକୁ ବାୟୁସେନାରୁ ଅବସର ଦିଆଯିବ । ଏହାପରେ କେବଳ ଏହି ଯୁଦ୍ଧ ବିମାନର ତିନୋଟି ସ୍କ୍ୱାଡନ ସେବାରେ ରହିବ ।

୨୦୨୫ ଶେଷ ସୁଦ୍ଧା ମିଗ୍-୨୧ର ସମସ୍ତ ସ୍କ୍ୱାଡନକୁ ସେବାରୁ ଅବସର ଦିଆଯିବ । ମିଗ-୨୧ ଯୁଦ୍ଧ ବିମାନ ସ୍ଥାନରେ ଭାରତୀୟ ବାୟୁସେନା ଅତ୍ୟାଧୁନିକ ଏୟାରକ୍ରାଫ୍ଟ ଏସୟୁ-୩୦ ଏବଂ ସ୍ୱଦେଶୀ ଲାଇଟ୍ କମବାଟ୍ ଏୟାରକ୍ରାଫ୍ଟ(ଏଲସିଏ)କୁ ସେବାରେ ନିୟୋଜିତ କରିବ । ଗତ ୨୦ ମାସ ଭିତରେ ୬ଟି ମିଗ୍-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି।

Related Posts