ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତୀୟ ଦୂତାବାସ ପକ୍ଷରୁ ନାଗରିକଙ୍କୁ ପୁଣି ଥରେ ନିର୍ଦ୍ଦେଶ ଜାରୀ

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷିଆ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ଧିରେ ଧିରେ ଯୁଦ୍ଧ ଏବେ ଆହୁରି ଭୟଂକର ହେବାରେ ଲାଗିଛି। ଏଥିସହ ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି । ଏହାକୁ ଦୃଷ୍ଟି ରଖି ପୁଣିଥରେ ଭାରତୀୟ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ପରାମର୍ଶ ଦେଇଛି ଭାରତ । ମଙ୍ଗଳବାର ଭାରତୀୟ ଦୂତାବାସ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ନୂଆ ଆଡଭାଇଜରୀ ଜାରି କରାଯାଇଛି ।

ଯୁଦ୍ଧସ୍ଥିତି ସାଂଘାତିକ ହେଉଥିବାରୁ ପୂର୍ବରୁ ଗତ ୧୯ ତାରିଖରେ ମଧ୍ୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇ ଯଥାଶୀଘ୍ର ଯୁଦ୍ଧଗ୍ରସ୍ତ ଦେଶକୁ ଛାଡି ଚାଲିଯିବାକୁ ନାଗରିକଙ୍କୁ କୁହାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନରେ ଅନେକ ଭାରତୀୟ ଛାତ୍ର ରହିଛନ୍ତି । ଦୂତାବାସର ଆଡଭାଇଜରୀ ପରେ କିଛି ନାଗରିକ ୟୁକ୍ରେନ ଛାଡିଥିଲେ । ତେବେ ଅନ୍ୟମାନଙ୍କୁ ମଧ୍ୟ ତୁରନ୍ତ ଏଠାରୁ ଚାଲିଯିବାକୁ ପୁଣିଥରେ ଚେତାବନୀ ଦିଆଯାଇଛି । ସୀମାରେ ଯାତ୍ରା ସମୟରେ ଆବଶ୍ୟକସ୍ଥଳେ କୌଣସି ପ୍ରକାର ସାହାଯ୍ୟ ସହଯୋଗ ପାଇଁ ଦୂତାବାସ ପକ୍ଷରୁ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଛି । ଋଷିଆ କିଭ୍ ଉପରେ ପୁଣି ବଡଧରଣର ଆକ୍ରମଣ କରିବା ଆଶଙ୍କା ଥିବାରୁ ନାଗରିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ପୁଣିଥରେ ଏହି ନୂଆ ଆଡଭାଇଜରୀ ଜାରି ହୋଇଛି ।

ସୂଚନାଯୋଗ୍ୟ, ଉଭୟ ୟୁକ୍ରେନ ଓ ଋଷର ସହଯୋଗରେ ଭାରତ ସରକାର ‘ଅପରେସନ ଗଙ୍ଗା’ ଜରିଆରେ ପ୍ରାୟ 20 ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇବାରେ ସଫଳ ହୋଇଥିଲେ । ହେଲେ କିଛି ଦିନ ପରେ କିଛି ଛାତ୍ରଛାତ୍ରୀ ପୁଣିଥରେ ୟୁକ୍ରେନ ଫେରିଯାଇଥିଲେ ।

Related Posts