କୋଭିଡ୍ ପାଇଁ ସ୍ଥଗିତ ରହିଲା ଆଇପିଏଲ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : 2021 ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।  ସୋମବାର ସନ୍ଧ୍ୟାରେ ଆଇପିଏଲ୍ ବବୁଲ୍ ଭାଙ୍ଗିବା ପରେ କ୍ରିକେଟ୍ ଟୁର୍ନାମେଣ୍ଟ ସ୍ଥଗିତ ରଖିବାକୁ ଏ ନେଇ ନିଷ୍ପତ୍ତି ନିଆଯାଇଥିଲା । ଏ ସମ୍ପର୍କରେ ବସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ସେ କହିଛନ୍ତି, ” ଆମେ ଦଳ, ପ୍ରସାରଣକାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତଙ୍କ ସହ କଥା ହୋଇଥିଲୁ । ବିଶେଷକରି ଦେଶର ଭାବନା ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଆଇପିଏଲ୍ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।  ଆମ ପାଇଁ ଖେଳାଳିଙ୍କ ସ୍ୱାସ୍ଥ୍ୟ ସବୁଠୁ ଆଗରେ ଏବଂ ବିସିସିଆଇ ସର୍ବଦା ସୁରକ୍ଷାକୁ ପ୍ରଥମିକତା ଦେଇଥାଏ । ” କିଛି ଖେଳାଳି ସଂକ୍ରମିତ ଚିହ୍ନଟ ହେବା ପରେ ଗତକାଲିର କେକେଆର-ଆରସିବି ମ୍ୟାଚ୍ ବାତିଲ ହୋଇଥିଲା । ଚଳିତ ବର୍ଷ କରୋନା ସଂକ୍ରମଣ ସତ୍ତ୍ୱେ ଭାରତରେ ଆଇପିଏଲ ଆରମ୍ଭ ହୋଇଥିଲା। ସଂକ୍ରମଣ ଯୋଗୁ ବିନା ଦର୍ଶକରେ ଚଳିତ ବର୍ଷ ଆଇପିଏଲ ଖେଳାଯାଉଥିଲା। ଆଜି ସନରାଇଜର୍ସ ହାଇଦ୍ରାବାଦର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଗତକାଲି କୋଲକାତା ନାଇଟ୍ ରାଇଡର୍ସର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିଅର୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚେନ୍ନାଇ ଟିମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) କାଶୀ ବିଶ୍ବନାଥନ୍‌, ବୋଲିଂ କୋଚ୍‌ ଏଲ୍‌ ବାଲାଜୀ ଏବଂ ବସ୍‌ର କ୍ଲିନର କରୋନା ସଂକ୍ରମିତ ହୋଇଛନ୍ତି ।

Related Posts