କିଏ ଏହି ଅତିକ ଅହମଦ ?; କିପରି ଗ୍ୟାଙ୍ଗଷ୍ଟାରରୁ ହୋଇଥିଲା ୫ ଥର ବିଧାୟକ ଓ ଥରେ ସାଂସଦ

ଭୁବନେଶ୍ୱର,୧୬/୪(ସତ୍ୟପାଠ ବ୍ୟୁରୋ): ଗତକାଲି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗଣମାଧ୍ୟମ ସାମ୍ନାରେ, ପୁଲିସ ଉପସ୍ଥିତିରେ ହତ୍ୟାର ଶିକାର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅତିକ ଅହମଦର ଲମ୍ବା ରାଜନୈତିକ କ୍ୟାରିୟର ଓ ଅପରାଧିକ ଇତିହାସ ରହିଥିଲା। ସେ ୫ ଥର ବିଧାୟକ ଏବଂ ଥରେ ସାଂସଦ ହୋଇଥିଲା। ସେହିପରି ଅତିକ ନାମରେ ୧୦୧ଟି ଅପରାଧିକ ମାମଲା ମଧ୍ୟ ରହିଥିଲା।

୧୯୬୨ ମସିହାରେ ଅତିକ୍ ଅହମ୍ମଦ ଉତ୍ତରପ୍ରଦେଶର ଶ୍ରାବସ୍ତିରେ ଜନ୍ମଗ୍ରହଣ କରିଥିଲା। ସେ ସାଇସ୍ତା ପ୍ରବୀନଙ୍କୁ ବିବାହ କରିଥିଲା ଓ ତାଙ୍କର ୫ ପୁତ୍ର ଥିଲେ। ସେମାନେ ହେଲେ ଅଲି, ଉମର, ଅହମ୍ମଦ, ଆସାଦ, ଅହଜାନ ଏବଂ ଆବାନ୍ ନାମକ ପାଞ୍ଚ ପୁତ୍ର ଥିଲେ। ଏମାନଙ୍କ ମଧ୍ୟରୁ ଶୁକ୍ରବାର ଦିନ ଉତ୍ତରପ୍ରଦେଶ ପୋଲିସ ଏନକାଉଣ୍ଟରରେ ଅତିକ୍ ର ପୁଅ ଆସାଦ ପ୍ରାଣ ହରାଇଥିଲା।

ରାଜନୈତିକ କ୍ୟାରିୟର

ତେବେ ୧୯୮୯ରେ ଅତିକ୍ ର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ସ୍ବାଧୀନ ପ୍ରାର୍ଥୀଭାବେ ସେ ଆହ୍ଲାବାଦ (ପଶ୍ଚିମ) ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲା। ପରବର୍ତ୍ତୀ ଦୁଇଥର ମଧ୍ୟ ସେ ‌ସେହି ଆସନରୁ ବିଜୟୀ ହେବାପରେ ସମାଜବାଦୀ ପାର୍ଟିରେ ମିଶିଥିଲା। ସମାଜବାଦୀ ପାର୍ଟିରେ ଯୋଗଦେବାପରେ ୧୯୯୬ରେ କ୍ରମାଗତ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲା। ତିନିବର୍ଷ ପରେ ସେ ଆପନା ଦଳରେ ମିଶି ୨୦୦୨ରେ ପୁଣି ଥରେ ଜିତିଥିଲା। ତା ପରବର୍ଷ ସେ ସମାଜବାଦୀ ପାର୍ଟିକୁ ଫେରିବା ସହିତ ୨୦୦୪ ମସିହାରେ ଫୁଲପୁର ଲୋକସଭା ଆସନରୁ ସାଂସଦ ହୋଇଥିଲା। ଏହି ଆସନରୁ ଏକଦା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ପ୍ରତିନିଧିତ୍ବ କରୁଥିଲେ।

ତେବେ ୨୦୧୯ ମସିହାରେ ଅତିକ ବାରଣାସୀ ଆସନରୁ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମଧ୍ୟ ନିର୍ବାଚନ ଲଢ଼ିଥିଲା। ତେବେ ଏହି ନିର୍ବାଚନରେ ତାକୁ ମାତ୍ର ୮୫୫ ଖଣ୍ଡ ଭୋଟ ମିଳିଥିଲା। ସାମ ହିଗିନବଟମ କୃଷି, ପ୍ରଯୁକ୍ତି ଓ ବିଜ୍ଞାନ ବିଶ୍ବବିଦ୍ୟାଳୟର କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ତାକୁ ୨୦୧୭ ଫେବୃୟାରୀରେ ଗିରଫ କରିଥିଲା। ଜେଲରେ ଥାଇ ଅହମଦ ମୋଦୀଙ୍କ ବିରୋଧରେ ବାରଣାସୀ ଲୋକସଭା ଆସନରୁ ୨୦୧୯ରେ ଲଢ଼ିଥିଲା।

ଅତିକର ଅପରାଧିକ ଇତିହାସ

ଗତ ଚାରି ଦଶନ୍ଧି ଧରି ଉତ୍ତରପ୍ରଦେଶରେ ଅତିକର ରହିଥିଲା ଲମ୍ବା ଅପରାଧିକ ଇତିହାସ। ୧୦୧ ଅପରାଧିକ ଘଟଣାରେ ଅତିକର ସଂପୃକ୍ତି ରହିଥିଲା। ପୋଲିସ୍ ରେକର୍ଡ ଅନୁସାରେ ଅତିକ ବିରୋଧରେ ପ୍ରଥମ ହତ୍ୟା ମାମଲା ୧୯୭୯ରେ ଦାଖଲ ହୋଇଥିଲା। ଏହାସହିତ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଠକେଇ, ଧମକ ଏବଂ ଜମି ଦଖଲ ଭଳି ବିଭିନ୍ନ ଅପରାଧରେ ସେ ସମ୍ପୃକ୍ତ ଥିଲେ।

ତେବେ ୨୦୦୫ ମସିହାରେ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାରେ ଅତିକର ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ୨୦୦୪ ଲୋକସଭା ନିର୍ବାଚନରେ ଅତିକ ଲୋକସଭାକୁ ନିର୍ବାଚିତ ହେବାରୁ ଆହ୍ଲାବାଦ ୱେଷ୍ଟ ବିଧାନସଭା ଆସନରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ତେବେ ଏହି ଉପନିର୍ବାଚନରେ ଅତିକର ଭାଇ ଅସରଫକୁ ରାଜୁ ହରାଇଥିଲେ। ଏହାର ୩ ମାସ ପରେ ରାଜୁଙ୍କୁ ହତ୍ୟା କରାଯାଇଥିଲା।

ତେବେ ସେହି ସମୟରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ହେବାରେ ଲାଗିଥିବା ଅତିକ୍ ଅହମ୍ମଦଙ୍କୁ ରାଜୁ ପାଲ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଅପହରଣ ଅଭିଯୋଗ ମଧ୍ୟ କରାଯାଇଥିଲା। ରାଜୁ ପାଲଙ୍କ ହତ୍ୟା ସମୟରେ ତାଙ୍କ ଉପସ୍ଥିତିକୁ ଅସ୍ୱୀକାର କରିବା ଏବଂ ସାକ୍ଷ୍ୟ ଦେବାକୁ ଅନିଚ୍ଛା ପ୍ରକାଶ କରିବା ପାଇଁ ଉମେସ ପାଲଙ୍କୁ ଅତିକ୍ ଅହମ୍ମଦ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଫଳ ସ୍ୱରୂପ ୨୦୦୬ ରେ ଘଟିଥିବା ଏହି ଅପହରଣ ପାଇଁ ଅତିକ୍ ଅହମ୍ମଦଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Related Posts