ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ୍ ଅବଧି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି।ମେ ୩ ତାରିଖ ସକାଳ ୫ଟା ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଦିଲ୍ଲୀ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ସମସ୍ତ ଆବଶ୍ୟକୀୟ ସେବା ପୂର୍ବ ପରି ସମାନ ଢଙ୍ଗରେ ଜାରି ରହିବ । ଏହା କରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି । ଦେଶରେ ଆଜି ବି ତିନି ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 49 ହଜାର 691 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 2,767 ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା 1,69,60,172 ରେ ପହଞ୍ଚିଛି। ବର୍ତ୍ତମାନ ମୋଟ ଆକ୍ଟିଭ କେସ୍ 26,82,751 ରହିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା 1,92,311 ରେ ପହଞ୍ଚିଛି। ଏହା ସହିତ 2,17,113 କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା 1,40,85,110 ରେ ପହଞ୍ଚିଛି। ଆଜି ପର୍ଯ୍ୟନ୍ତ ଦେଶରେ 14,09,16,417 ଲୋକଙ୍କୁ ଟିକା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଦିଲ୍ଲୀର ଅନେକ ଡାକ୍ତରଖାନା ଅମ୍ଳଜାନ ଅଭାବର ସମ୍ମୁଖୀନ ହେଉଛନ୍ତି। ଅମ୍ଳଜାନ ଅଭାବ ହେତୁ ଅନେକ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଦିଲ୍ଲୀର ଜୟପୁର ଗୋଲଡେନ୍ ହସ୍ପିଟାଲରେ ଅମ୍ଳଜାନ ଅଭାବରୁ 20 ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Related Posts