
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ହିଂସାକୁ ନେଇ ରାଜନୀତି ଏବେ ତୀବ୍ର ହୋଇଛି। ବିଜେପି, କଂଗ୍ରେସ ସମେତ ଅନେକ ବିରୋଧୀଦଳ ନେତା ଟିଏମସି ସରକାର ବିରୋଧରେ ବିରୋଧ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ମମତା ବାନାର୍ଜୀ ବୀରଭୂମରେ ପହଞ୍ଚି ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟି ଅଭିଯୁକ୍ତମାନଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ। ମମତା କହିଛନ୍ତି ଯେ ରାମପୁରହାଟ ହତ୍ୟାକାଣ୍ଡର ସନ୍ଦିଗ୍ଧ ଲୋକଙ୍କୁ ଖୋଜିବାକୁ ପଡ଼ିବ। ସମସ୍ତେ ଆତ୍ମସମର୍ପଣ କରନ୍ତୁ । ନଚେତ୍ ପୋଲିସ ଗିରଫ କରିବ ବୋଲି ମମତା ବାନାର୍ଜୀ କହିଛନ୍ତି । ସେପଟେ ଅଧୀର ରଂଜନ ଚୌଧୁରୀଙ୍କ ସମେତ କଂଗ୍ରେସ ପ୍ରତିନିଧୀମାନେ ବିରବୁମ୍ ଜିଲ୍ଲାର ସାନ୍ତିନିକେତନ ଠାରେ ଅଟକି ଯାଇଥିଲେ। ଏହା ପରେ ସମସ୍ତ ନେତା ଧାରଣାରେ ବସିଥିଲେ। ଏହା ମଧ୍ୟରେ ବୀରଭୂମ ହିଂସାରେ ମୃତକଙ୍କ ପରିବାରକୁ ଭେଟିବା ପୂର୍ବରୁ ମମତା ବାନାର୍ଜୀ ବିବାଦ ଘେରରେ ଛନ୍ଦି ହୋଇଥିବାର ଦେଖିବାକୁ ମିଳିଛି । ତେବେ ମମତାଙ୍କୁ ଦଳୀୟ କର୍ମୀମାନେ ସ୍ୱାଗତ କରିବା ପାଇଁ ଟୋରାନ୍ ଫାଟକ ଲଗାଇଛନ୍ତି । ଯାହାକୁ ବହୁତ ସମାଲୋଚନା କରାଯାଉଛି । ବିଜେପି ଏପରିକି ପଚାରିଛି କି ତୁମେ ଶୋକ କରିବାକୁ ଯାଉଛ କି ଉତ୍ସବ ପାଳନ କରିବାକୁ ଯାଉଛ?
ବିଜେପି ନେତା ଅମିତ ମାଲଭିଆ ଟ୍ୱିଟ୍ କରି କହିଛନ୍ତି ଯେ, ବୀରଭୂମର ରାମପୁରହାଟରେ ଥିବା ସ୍ଥାନୀୟଲୋକମାନେ ମମତା ବାନାର୍ଜୀଙ୍କୁ ସ୍ୱାଗତ କରିବା ପାଇଁ ବଡ଼ ଫାଟକ ନିର୍ମାଣ କରିଛନ୍ତି । ସେପଟେ କୁହାଯାଉଛି ମମତା ଜଘନ୍ୟ ହତ୍ୟାକାଣ୍ଡ ସ୍ଥାନକୁ ଶୋକ ବ୍ୟକ୍ତ କରିବା ପାଇଁ ଯାଉଛନ୍ତି । ଯାହା କି ଅତ୍ୟନ୍ତ ଲଜ୍ଜାଜନକ ବୋଲି ଅମିତ ମାଲଭିଆ କହିଛନ୍ତି । ଅନ୍ୟପଟେ ନିକଟରେ ଟିଏମସି ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା । ଯାହାର ପ୍ରତିଶୋଧ ନେବା ପାଇଁ ପ୍ରାୟ ୧୨ରୁ ଅଧିକ ଘରକୁ ଜାଳି ଦିଆଯାଇଛି । ଯେଉଁଠି ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି ।