ଅନ୍ଧବିଶ୍ୱାସର କରୁଣ ପରିଣତି; ତାନ୍ତ୍ରିକ କଥାରେ ୨ ମହିଳାଙ୍କୁ ବଳି ଦେଲେ ଦମ୍ପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ମଧ୍ୟ ସମାଜରୁ ଅନ୍ଧବିଶ୍ୱାସର ଭଳି କୁପ୍ରଥା ଶେଷ ହୋଇ ନାହିଁ। ଏହି ଅନ୍ଧବିଶ୍ୱାସର ଜ୍ୱଳନ୍ତ ଉଦାହାରଣ କେରଳର କୋଚିରେ ଦେଖିବାକୁ ମିଳିଛି। ବ୍ଲାକ ମ୍ୟାଜିକ ବା କଳା ଯାଦୁ ରେ ବିଶ୍ୱାସ କରି ୨ ଜଣ ମହିଳାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ମହିଳା ଦୁଇ ଜଣଙ୍କ ପତ୍ତା ମିଳୁନଥିବା ବେଳେ ପ୍ରଥମେ ପୁଲିସ୍‌ ନିଖୋଜ ମାମଲା ରୁଜୁ କରିଥିଲା। ଏବେ ତଦନ୍ତରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ବଳି ନାଁରେ ୩ ଜଣ ଲୋକ ୨ ଜଣ ମହିଳାଙ୍କୁ ହତ୍ୟା କରିଛନ୍ତି। କିଛି ଦିନ ତଳେ କୋଚି ଓ କାଲାଡୟରୁ ୨ ଜଣ ମହିଳା ନିଖୋଜ ହୋଇଯାଇଥିଲେ। ଏବେ ସେମାନଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସ୍ପଷ୍ଟ କରିଛି।

କୋଚି ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ, ପେରୁମବାଭୋରର ଜଣେ ତାନ୍ତ୍ରିକ ପୂରା ଘଟଣାର ଷଡ଼ଯନ୍ତ୍ରକାରୀ। ସେ ପାଥନମଥିଟ୍ଟାର ଜଣେ ଦମ୍ପତିଙ୍କୁ ଆର୍ଥିକ ଫାଇଦା ହାସଲର ଲୋଭ ଦେଖାଇ ପରମ୍ପରା ନାଁରେ ଦୁଇ ମହିଳାଙ୍କ ବଳି ଦେଉଥିବା ଜଣା ପଡ଼ିଛି। ମହିଳାଙ୍କ ବଳି ଦେଲେ ଆର୍ଥିକ ଫାଇଦା ମିଳିବ ବୋଲି ସେ ଦମ୍ପତିଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲା ତାନ୍ତ୍ରିକ । ଏହାପରେ ତାନ୍ତ୍ରିକ କଥାରେ ଦମ୍ପତି ଦୁଇ ଜଣ ମହିଳାଙ୍କ ହତ୍ୟା କରିଛନ୍ତି।

ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା। ପେରୁମବାଭୋର ତଥାକଥିତ ତାନ୍ତ୍ରିକ ହେଉଛି ଶୈଫ ଓରଫ ରଶିଦ। ଏହି ତନ୍ତ୍ରିକର କଥାରେ ହତ୍ୟାକାଣ୍ଡ ଘଟାଇଥିବା ଦମ୍ପତି ହେଲେ ଭାଗବଲ ସିଂହ ଓ ତାଙ୍କ ପତ୍ନୀ ଲୀଲା ସିଂହ। ପୁଲିସ୍‌ ଏହି ୩ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ତେବେ ଏହି ଦମ୍ପତି ରାତାରାତି ବଡ଼ ଲୋକ ହେବାକୁ ସ୍ୱପ୍ନ ଦେଖୁଥିଲେ। ଏଥିପାଇଁ ସେମାନେ ତାନ୍ତ୍ରିକ ଶୈଫର ସହାୟତା ନେଇଥିଲେ। ଏହାର ଫାଇଦା ଉଠାଇ ଶୈଫ ସେମାନଙ୍କୁ ମଣିଷ ବଳି ଦେବାକୁ କହିଥିଲା। ଏହାଦ୍ୱାରା ମାନସିକ ପୂରଣ ହେବ ଓ ଆର୍ଥିକ ଅଭାବ ରହିବ ନାହିଁ ବୋଲି ସେ ଦମ୍ପତିଙ୍କୁ କହିଥିଲା। ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏହି ଦମ୍ପତି କୋଚିର ଇଲାମକୁଲମରେ ରହୁଥିବା ପଦ୍ମା(୫୩)ଙ୍କୁ ପ୍ରଥମେ ଘରକୁ ଆଣି ହତ୍ୟା କରିଥିଲେ। ଏହାପରେ କାଲାଡୟର ରୋଜଲି(୫୩)ଙ୍କୁ ମଧ୍ୟ ସମାନ ଢଙ୍ଗରେ ବଳି ଚଢ଼ାଇଛନ୍ତି।

ଉଭୟଙ୍କୁ ଆର୍ଥିକ ଫାଇଦାର ଲୋଭ ଦେଖାଇ ଏହି ଦମ୍ପତି ନିଜ ଘରକୁ ଡାକିଥିଲେ। ସେଠାରେ ସେମାନଙ୍କୁ ବେକ କାଟି ହତ୍ୟା କରାଯାଇଥିଲା। ଶେଷରେ ମୃତଦେହକୁ ଖଣ୍ଡଖଣ୍ଡ କରି ଘର ମଧ୍ୟରେ ହିଁ ପୋତି ଦିଆଯାଇଥିଲା। ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କୁ ଘଟଣା ସମ୍ପର୍କରେ ଅଧିକ ଜେରା କରୁଛି।

Related Posts