ଆଫଗାନିସ୍ତାନରୁ ନାଗରିକଙ୍କୁ ଭାରତ ଫେରାଇ ଆଣିବା ମିଶନ୍ ର ନାମ ଦିଆଗଲା ‘ ଅପରେସନ ଦେବୀଶକ୍ତି’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଗତ ସପ୍ତାହରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର କାର୍ଯ୍ୟ କରିଆସୁଛନ୍ତି। ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ଅନ୍ୟ ଦେଶର ଲୋକଙ୍କ ସମେତ ୮୦୦ରୁ ଅଧିକ ନାଗରିକଙ୍କୁ ଆଫଗାନିସ୍ତାନରୁ ଭାରତକୁ ଫେରାଇଅଣାଯାଇଛି। ଏହି ଉଦ୍ଧାର କାର୍ଯ୍ୟକୁ ବର୍ତ୍ତମାନ ଭାରତ ସରକାର ‘ ଅପରେସନ ଦେବୀଶକ୍ତି’ ନାମରେ ନାମିତ କରିଛନ୍ତି। ଅଗଷ୍ଟ ୨୪ ଅର୍ଥାତ୍ ଆଜି ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟୁଇଟ କରି ଏହି ସୂଚନା ଦେଇଛନ୍ତି।  ସେ ଟୁଇଟ୍ କରି କହିଛନ୍ତି, “‘ଅପରେସନ୍ ଦେବୀଶକ୍ତି ଜାରି ରହିଛି । ଏହି ନିରନ୍ତର ଉଦ୍ୟମ ପାଇଁ ଭାରତୀୟ ବାୟୁସେନା, ଏୟାର ଇଣ୍ଡିଆ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଦଳକୁ ଧନ୍ୟବାଦ’।  

ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିଆରକୁ ନେବାର ଗୋଟିଏ ଦିନ ପରେ ଅର୍ଥାତ୍ ଅଗଷ୍ଟ ୧୬ ରେ କାବୁଲରୁ ୪୦ ଜଣ ଭାରତୀୟଙ୍କୁ ନେଇ ଭାରତ ଜଟିଳ ସ୍ଥାନାନ୍ତର ମିଶନ ଆରମ୍ଭ କରିଥିଲା। କାବୁଲର ସୁରକ୍ଷା ବ୍ୟବସ୍ଥା ଜଟିଳ ଥିବା ସତ୍ତ୍ୱେ ଭାରତ ବିଭିନ୍ନ ଦେଶର ନାଗରିକଙ୍କ ସମେତ ୮୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି। ଏହି ମିଶନ୍ ଏବେ ବି ଜାରି ରହିଛି। 

ତାଲିବାନ ଶାସନ ଭୟରେ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡ଼ି ଚାଲିଯିବା ପାଇଁ ବିମାନବନ୍ଦର ମୁହାଁ ହେଉଛନ୍ତି । କେତେକ ବିପଦ ଶଙ୍କୁଳ ଅବସ୍ଥାରେ ବିମାନରେ ଅନ୍ୟ ଦେଶକୁ ଚାଲିଯିବା ପାଇଁ ପ୍ରୟାସ କରୁଛନ୍ତି। 

ଅନ୍ୟପକ୍ଷରେ ଅଗଷ୍ଟ ୧୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ CCS ବୈଠକରେ ଆଫଗାନିସ୍ତାନରୁ ସମସ୍ତ ଭାରତୀୟଙ୍କୁ ନିରାପଦ ସ୍ଥାନାନ୍ତର କରିବା ତଥା ଭାରତ ଆସିବାକୁ ଚାହୁଁଥିବା ଆଫଗାନିସ୍ତାନର ଶିଖ ଏବଂ ହିନ୍ଦୁମାନଙ୍କୁ ଆଶ୍ରୟ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୧୮ ରେ ଭାରତର ଦୂତାବାସ କର୍ମଚାରୀଙ୍କୁ କାବୁଲରୁ ସ୍ବଦେଶ ଫେରାଇ ଆଣିବା ପାଇଁ ଡକ୍ଟର ଏସ୍ ଜୟଶଙ୍କର ଏହି ମିଶନକୁ ଏକ କଷ୍ଟସାଧ୍ୟ ତଥା ଜଟିଳ ମିଶନ୍ ବୋଲି କହିଥିଲେ। ଅନ୍ୟପକ୍ଷରେ ଆଜି ୨୫ ଜଣ ଭାରତୀୟଙ୍କ ସମେତ ୭୮ ଜଣକୁ ନେଇ ଆଫଗାନିସ୍ତାନରୁ ସ୍ବଦେଶ ଫେରିଛି ଏୟାର ଇଣ୍ଡିଆ ବିମାନ (AI 1956)। ସୂଚନାଯୋଗ୍ୟ ଯେ ଗତକାଲି କିଛି ଭାରତୀୟମାନଙ୍କୁ କାବୁଲରୁ ଦୁଶାନବେକୁ ଅଣାଯାଇଥିଲା।  ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁ ପରିବାର ମଧ୍ୟ ଦୁଶାନବେରରୁ ଭାରତୀୟଙ୍କ ସହ ଭାରତ ଫେରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ସ୍ଥିତି ଖରାପ ହେବା ମଧ୍ୟରେ ଭାରତୀୟ ସରକାରଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଜ ଦେଶର ନାଗରିକଙ୍କ ବ୍ୟତୀତ ଭାରତ ସରକାର ମଧ୍ୟ ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁମାନଙ୍କୁ ଫେରାଇ ଆଣିଛନ୍ତି।

Related Posts