ଆଦିବାସୀ ହୋଇ ଆଦିବାସୀଙ୍କ ଠାରୁ କାହିଁକି ହାରୁଛନ୍ତି ପ୍ରଦୀପ ମାଝୀ: ତାରାପ୍ରସାଦ ବାହିନୀପତି

tara 21

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଜାତୀୟ କଂଗ୍ରେସ ପରେ ପରେ ବର୍ତ୍ତମାନ ରାଜ୍ୟ କଂଗ୍ରେସରେ ମଧ୍ୟ ଦେଖା ଦେଇଛି କନ୍ଦଳ । ତେବେ ଦଳର ଦୁଇ ପପୁଲାର ନେତା ବର୍ତ୍ତମାନ ସାମ୍ନା ସାମ୍ନି । ଦଳରେ ନିଜର ଆଧିପତ୍ୟକୁ ଜମାଇବା ପାଇଁ ଉଭୟ ନେତାଙ୍କ ମଧ୍ୟରେ ଦେଖାଦେଇଛି ଘୋର ଅସନ୍ତୋଷ । କିଛିଦିନ ହେବ ନିଜ ଦଳର ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି ଦଳର ବିଧାୟକଙ୍କୁ ସମାଲୋଚନା କରିବା ପାଇଁ ଛାଡି ନଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଏନେଇ ସାରା ରାଜ୍ୟରେ ବେଶ ଚର୍ଚ୍ଚାରେ ରହିଛନ୍ତି ଜୟପୁର ବିଧାୟକ । ଇତିମଧ୍ୟରେ ତାରାଙ୍କ ମନ୍ତବ୍ୟକୁ ନେଇ ମୁହଁ ଖୋଲିଥିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଏପରିକି ତାରାଙ୍କୁ କଡା ସମାଲୋଚନା କରିବା ପାଇଁ ମଧ୍ୟ ପଛାଇନଥିଲେ ।

ତେବେ ତାରାଙ୍କ ଏଭଳି ମନ୍ତବ୍ୟକୁ କେବେବି ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଦୀପ ମାଝୀ କହିଥିଲେ । ଏହା ସହ ଅବିଭକ୍ତ କୋରାପୁଟରେ ନିଜର ଆଧିପତ୍ୟ ଜାହିର କରିବା ଅଭ୍ୟାସ ଛାଡନ୍ତୁ ବୋଲି କହିଥିଲେ । କେବଳ ଏତିକି ନୁହେଁ ବରଂ ନିଜର ଆଧିପତ୍ୟ ଜମାଇବା ପାଇଁ କଂଗ୍ରେସ ଦଳର ସମସ୍ତ ନେତାଙ୍କୁ ତାରା ଟାର୍ଗେଟ କରୁଛନ୍ତି । ତେବେ ତାରାଙ୍କୁ ଭଲଭାବରେ ମନେରଖିବା ଉଚିତ ଯେ ଆଦିବାସୀ ନେତାଙ୍କୁ ଛାଡି କୋରାପୁଟରେ ରାଜନୀତି କେବେ ବି ସମ୍ଭବ ନୁହେଁ । ତେଣୁ ଦଳରେ କିଏ ରହିବ କିଏ ନ ରହିବ ସେ ଚିନ୍ତା ନିଜେ ନକରି ପିସିସି ସଭାପତିଙ୍କ ଉପରକୁ ଛାଡିଦିଅନ୍ତୁ । ଏଠି କାହାର ଏକଛତ୍ରବାଦ ଶାସନ ଚାଲିବ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ପ୍ରଦୀପ ମାଝୀ । ରାଜ୍ୟରେ ଦେଖାଦେଇଥିବା କଂଗ୍ରେସ ମଧ୍ୟରେ ତିକ୍ତତାକୁ ନେଇ ଖୁବଶୀଘ୍ର ପିସିସି ସଭାପତିଙ୍କୁ ପ୍ରଦୀପ ଭେଟିବେ ବୋଲି କହିଛନ୍ତି । ଅପରିପକ୍ଷେ ଏହାକୁ ସହଜରେ ହଜମ କରିପାରି ନାହାଁନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

ତେବେ ତାରା ମଧ୍ୟ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସମାଲୋଚନା କରିବା ପାଇଁ ପଛେଇ ନାହାଁନ୍ତି । ତେବେ କୋରାପୁଟରେ ଯଦି ଆଦିବାସୀ ନେତା ବିନା ରାଜନୀତି ସମ୍ଭବ ନୁହେଁ, ତାହାଲେ ମାନ୍ୟବରକୁ ମନେରଖିବା ଉଚିତ କି ସେ କାହିଁକି ନିଜ ସଂସଦୀୟ କ୍ଷେତ୍ରରୁ ଦୁଇଥର ହାରିଛନ୍ତି । ଏହା କିପରି ସମ୍ଭବ ହେଲା ? ଆଦିବାସୀ ହୋଇ ଆଦିବାସୀଙ୍କ ଠାରୁ କାହିଁକି ହାରୁଛ ତାହାଲେ ପ୍ରତୀପ ମାଝୀ ! ଯଦି ମୁଁ କୋରାପୁଟରେ ଆଧିପତ୍ୟ ଜମାଇବା ପାଇଁ ନେତାମାନଙ୍କୁ ଟାର୍ଗେଟ କରୁଛି, ତାହାଲେ କୋରାପୁଟ ଜିଲ୍ଲାର ନେତାଙ୍କୁ ପଚରାଯାଉ ମୁଁ କାହାକୁ ବିରୋଧ କରିଛି ? ଆଗକୁ ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାଲଗିରି ଚାରିଆଡେ ବୁଲି ମିଟିଂ କରିବି ଏବଂ ଦେଖିବି କିଏ କେତେ ପ୍ରଭାବଶାଳୀ ।

ଆମେ ଚାନ୍ଦା ନେବା ନେତା ନୁହଁ, ଏହି କଥାଟିକୁ ପ୍ରଦୀପ ମାଝୀକୁ ମନେରଖିବା ଉଚିତ ବୋଲି ତାରା କହିଛନ୍ତି । ନିଜେ ନିଜର ସଂସଦୀୟ କ୍ଷେତ୍ରରୁ ଦୁଇଥର ହାରୁଛ ଏବଂ ଅନ୍ୟମାନଙ୍କୁ ପ୍ରଶ୍ନ କରୁଛ କି କୋରାପୁଟରେ ଆଦିବାସୀ ନେତା ବିନା ରାଜନୀତି ସମ୍ଭବ ନୁହେଁ । ପ୍ରଦୀପକୁ ଭଲ ଭାବରେ ମନେରଖିବା ଉଚିତ କି ମୁଁ ଯଦି ସଚ୍ଚୋଟ ହୋଇନଥାନ୍ତି ତାହାଲେ ଏତେଥର ବିଧାୟକ ହୋଇ ଜିତିନଥାନ୍ତି । ସେ ଏହି ସମସ୍ୟା ନେଇ ଯାଆନ୍ତୁ ପିସିସି ସଭାପତି ପାଖକୁ କିନ୍ତୁ ମୁଁ ପ୍ରଭାରୀ ଆସିଲେ ସମସ୍ତ ଉତ୍ତର ରଖିବି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।

Related Posts