ମାଓବାଦୀଙ୍କ ବନ୍ଦ ଡାକରା ପ୍ରଭାବ ଶୂନ୍ୟ; ମାଲକାନଗିରିରେ ଗଡିଲା ବସ୍, ଖୋଲିଲା ଦୋକାନ ବଜାର

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଆଜି କୋରାପୁଟ-ମାଲକାନଗିରି ମାଓ ଡିଭିଜନାଲ କମିଟି ପକ୍ଷରୁ ଦୁଇଟି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । ମାତ୍ର ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏହି ବନ୍ଦ ଡାକରା ପ୍ରଭାବ ଶୁନ୍ୟ ମନେହୋଇଛି। ଜିଲ୍ଲା ତଥା ରାଜ୍ୟ ଓ ଅନ୍ତରାଜ୍ୟର ୧୦ ଟି ରୁଟ କୁ ୧୧ ସରକାରୀ ବସ ସ୍ୱାଭାବିକ ଭାବେ ଚଳା ଚଳ କରୁଥିବା ବେଳେ ପ୍ରାୟ ୫୦ଟି ଘରୋଇ ବସ ଗୁଡିକ ସ୍ଥାନୀୟ ଜିଲ୍ଲା ର ବିଭିନ୍ନ ସ୍ଥାନ ଓ ଦୂରଗାମୀ ବସ ଗୁଡିକ ମଧ୍ୟଚାଲିଥିବାର ଦେଖାଯାଇଛି।

ଏପରିକି ମାଓଗଡ଼ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ,ବଡ଼ପଡା, ମାଥିଲି ବ୍ଲକସ୍ଥ ମହୁପଦର ଆଦି ମାଓପ୍ରବଣ ଅଞ୍ଚଳକୁ ପୂର୍ବ ପରି ବସ ଓ ଅନ୍ୟନ ଯାନ ବାହନ ଚଳା ଚଳ କରୁଛି। ସରକାରୀ ବେସରକାରୀ ଅଫିସ,ଦୋକାନ ହାଟ ବଜାର ଗୁଡିକ ମଧ୍ୟ ଖୋଲା ରହିଛି। ତଥାପି ପୁଲିସ ପକ୍ଷରୁ ବିଭିନ୍ନ ମାଓ ପ୍ରବଣ ଅଞ୍ଚଳ ଗୁଡିକରେ ବିଏସଏଫ, ଡିଭିଏଫ, ଏସଓଜି ,ଜିଲ୍ଲା ପୁଲିସ ପକ୍ଷରୁ ପେଟ୍ରୋଲିଂ ଓ କୁମ୍ବିଂ ଅପରେଶନ ଜାରି ରହିବା ସହିତ ଆନ୍ଦ୍ର ଛତିଶଗଡ଼ ଓଡିଶା ସୀମାନ୍ତ ବର୍ତୀ ଅଞ୍ଚଳ ଗୁଡିକୁ ସିଲ କରିଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୦ତାରିଖ ରାତ୍ରରେ ମାଲକାନଗିରି ସୀମାନ୍ତ ବୈପାରିଗୁଡା ଥାନାସ୍ଥ ମାଳିପଦର ଜଙ୍ଗଲରେ ପୁଲିସ ମାଓବାଦୀଙ୍କ ଗୁଳିବିନିମୟରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ପୁଲିସ କହୁଥିବାବେଳେ ଏହା ଏକ ଫେକ ଏନ କାଉଣ୍ଟର ଥିଲା, ଏହି ଏନ କାଉଣ୍ଟରରେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରୁ ଦୁଇଜଣ ଦିନମଜୁରିଆ ଗରିବ ଆଦିବାସୀଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଥିଲା । ଏହାର ଉଚ୍ଚସ୍ଥରୀୟ ତଦନ୍ତ କରି ଅପରାଧୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ମାଓବାଦୀମାନେ ଆଜି ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦେଇଥିଲେ । ମାତ୍ର ସେମାନଙ୍କ ଏହି ବନ୍ଦ ଡାକରାକୁ କେହି ସମର୍ଥନ କରିବା ଭଳି ମାନେ ହୋଇନାହିଁ । ଯାହା ଫଳରେ ଦୁଇଟି ଜିଲ୍ଲାରେ ସେମାନଙ୍କ ବନ୍ଦ ଡାକରା ଏକପ୍ରକାର ପ୍ରଭାବ ଶୁନ୍ୟ ହୋଇଛି।

Related Posts