ନୂଆଦିଲ୍ଲୀ: ମିଳିତ ଜାତିସଂଘର ମାନବାଧିକାର ପରିଷଦ(UNHRC)ରେ ଗୁରୁବାର ଚୀନ ବିରୋଧରେ ଆଗତ ହୋଇଥିଲା ପ୍ରସ୍ତାତ । ଚୀନରେ ଉଇଗର ମୁସଲିମଙ୍କ ପ୍ରତି ହେଉଥିବା ଅକଥନୀୟ ଅତ୍ୟାଚାରକୁ ନେଇ ପାଶ୍ଚାତ୍ୟ ଦେଶ ଏକ ପ୍ରସ୍ତାବ ଆଗତ କରିଥିଲେ। ମାତ୍ର ସପକ୍ଷରେ ଆବଶ୍ୟକ ଭୋଟ୍ ନପଡିବାରୁ ୟୁଏନଏଚଆରସିରେ ପ୍ରସ୍ତାବ କାଟ୍ ଖାଇ ଯାଇଛି।
ସବୁଠୁ ବଡ କଥା ଭାରତ ଭୋଟିଂରୁ ବିରତ ରହିଥିଲା। ଆଉ କିଛି ଦେଶ ମଧ୍ୟ ଏହି ପ୍ରକ୍ରିୟାରୁ ଦୂରେଇ ରହିଥିଲେ। ତେବେ ଆମର ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ଦେଶ ଚୀନ ବିରୋଧରେ ଭାରତ କାହିଁକି ଭୋଟ୍ ଦେଲାନି ତାହା ସଭିଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।
ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ ବିବୃତ୍ତି ଜାରି କରି ଏହା ଉପରେ ସ୍ପଷ୍ଟ କରିଛି। ମନ୍ତ୍ରଣାଳୟ ଅନୁଯାୟୀ, ଭାରତ କେବେ ମଧ୍ୟ ‘Country-Specific Resolutions’ରେ ବିଶ୍ଵାସ କରେ ନାହିଁ। ଭାରତ ସର୍ବଦା ମାନବାଧିକାରର ସମ୍ମାନ କରି ଆସିଛି। UNHRରେ ଚୀନ ପ୍ରସଙ୍ଗରେ ଭୋଟ୍ ନଦେବା ଭାରତର ପୁରୁଣା ଆଭିମୁଖ୍ୟକୁ ଦର୍ଶାଉଛି। ଭାରତ ସର୍ବଦା କହି ଆସିଛି ଯେ, ‘Country-Specific Resolutions’ କେବେ ବି ସମସ୍ୟାର ସମାଧାନ ନୁହେଁ। ଆଲୋଚନା ମାଧ୍ୟମରେ ସବୁ କିଛି ସମ୍ଭବ। ଭାରତ ଉଇଗରଙ୍କ ପରିସ୍ଥିତି ବିଷୟରେ ବେଶ ଭଲ ଭାବେ ଅବଗତ ରହିଛି। ଆଶା କରୁଛୁ ଉପଯୁକ୍ତ ପକ୍ଷ ଏହି ମାମଲାର ସମାଧାନ କରି ପାରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କିଏ ଆଣିଥିଲେ ଚୀନ ବିରୋଧରେ ପ୍ରସ୍ତାବ
ସୂଚନା ଅନୁଯାୟୀ, କାନାଡା, ଡେନମାର୍କ, ଫିନଲାଣ୍ଡ, ଆଇସଲାଣ୍ଡ, ସ୍ଵିଡେନ, ୟୁକେ ଏବଂ ଆମେରିକା ପରି ଦେଶ ଚୀନ ବିପକ୍ଷରେ ୟୁଏନଏଚଆରସିରେ ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବକୁ ତୁର୍କୀ ପରି ଦେଶ ମଧ୍ୟ ସମର୍ଥନ ଜଣାଇଥିଲା। ଚୀନରେ ଉଇଗର ମୁସଲିମଙ୍କ ପ୍ରତି ଅତ୍ୟାଚାର ହେଉଥିବା ଅଭିଯୋଗ ହୋଇଥିଲା। ତେବେ ପାକିସ୍ତାନ, ନେପାଳ ପରି ଅନେକ ଦେଶ ପ୍ରସ୍ତାବ ବିପକ୍ଷରେ ଭୋଟ୍ ଦେଇଥିବା ବେଳେ ଭାରତ, ବ୍ରାଜିଲ, ମେକ୍ସିକୋ, ୟୁକ୍ରେନ ଏବଂ ଆଠ ଅନ୍ୟ ଦେଶ ଭୋଟିଂରୁ ବିରତ ରହିଥିଲେ।
ଏହା ସ୍ପଷ୍ଟ ଯେ, ଭାରତ କୌଣସି ଚାପ କିମ୍ବା ଭୟରେ ଭୋଟିଂରୁ ଦୂରେଇ ନାହିଁ। ସର୍ବଦା ଭାରତ ନିଜର ରଣନୀତି ଅନୁରୂପ କାର୍ଯ୍ୟ କରି ଆସିଛି। କୌଣସି ଦେଶର ଆଭ୍ୟନ୍ତରୀଣ ମାମଲାରେ ‘Country-Specific Resolutions’କୁ ଭାରତ ସମର୍ଥନ ଜଣାଏ ନାହିଁ। ଭାରତ ସର୍ବଦା ଆଲୋଚନା ଜରିଆରେ ସମାଧାନକୁ ଗୁରୁତ୍ଵ ଦେଇ ଆସିଛି। ଚୀନ ମାମଲାରେ ମଧ୍ୟ ଭାରତ ଏହି ନୀତି ଆପଣେଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
