
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଓଡ଼ିଶାରୁ ବିଳମ୍ବରେ ଫେରିବ ମୌସୁମୀ। ଏଥର ନଭେମ୍ବର ମାସରେ ମଧ୍ୟ ମୌସୁମୀ ସକ୍ରିୟ ରହିବ ବୋଲି ଆକଳନ କରାଯାଇଛି। ଧାର୍ଯ୍ୟ ସମୟର ପ୍ରାୟ ୪୫ ଦିନ ବିଳମ୍ବରେ ଅର୍ଥାତ୍ ଡିସେମ୍ବର ମାସ ପହିଲା ବେଳକୁ ଓଡ଼ିଶାରୁ ବିଦାୟ ନେବ ମୌସୁମୀ। ଏଥର ଜୁନ୍ ମାସ ୧୦ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଢ଼ ମାସ ବିଳମ୍ବରେ ଓଡ଼ିଶାରୁ ବିଦାୟ ନେବ ବୋଲି ଅନୁମାନ କରାଯାଉଛି। ତେବେ କେବଳ ଓଡ଼ିଶା ନୁହେଁ ବରଂ ସାରା ଭାରତରୁ ବିଳମ୍ବରେ ମୌସୁମୀ ଫେରିବା ନେଇ ଆଇଏମଡି ଆକଳନ କରାଯାଉଛି।
ତେବେ ସାଧାରଣ ଭାବେ ସେପ୍ଟେମ୍ବର ପହିଲାରୁ ରାଜସ୍ଥାନ, ପଞ୍ଜାବ ଆଦି ଅଞ୍ଚଳରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବରର ୧୬ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଏଥିରେ ବହୁ ବିଳମ୍ବ ହେବ ବୋଲି ଆକଳନ କରାଯାଉଛି।
ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ , ଜୁନ ୧ ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ ଓ ୧ ସେପ୍ଟେମ୍ବରରୁ ଏହା ଭାରତରୁ ଫେରିଥାଏ। ଏହିକ୍ରମରେ ୧୫ ଅକ୍ଟୋବର ଆଡ଼କୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାରୁ ଫେରିବା ଆରମ୍ଭ କରେ। କିନ୍ତୁ ଯେହେତୁ ମୌସୁମୀ ଭାରତର ଉତ୍ତର-ପଶ୍ଚିମରୁ ଫେରିବାରେ ବିଳମ୍ବ ହେବ ତେଣୁ ଓଡ଼ିଶାରୁ ମୌସୁମୀ ଫେରିବାକୁ ୪୫ ଦିନ ବିଳମ୍ବ ହେବ। ଅର୍ଥାତ ମୌସୁମୀ ଛାଡ଼ିଲା ବେଳକୁ ଡିସେମ୍ବର ପହିଲା ହୋଇଯିବ।
ଚଳିତ ବର୍ଷ ଜୁନରେ ରାଜ୍ୟରେ ପ୍ରାୟତଃ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଜୁଲାଇରେ ପାଖାପାଖି ୧୯% ନିଅଣ୍ଟିଆ ବର୍ଷା ହୋଇଥିଲା। ତେବେ ସେପ୍ଟେମ୍ବର ମାସରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟରେ ସ୍ଥିତି ବେହାଲ ହୋଇଯାଇଥିଲା। ଅନ୍ୟପକ୍ଷରେ ଆଗକୁ ୧୮ ଓ ୨୫ ତାରିଖ ଆଡ଼କୁ ରାଜ୍ୟରେ ଆହୁରି ଦୁଇଟି ଲଘୁଚାପ ବର୍ଷାର ସମ୍ଭାବନା ଥିବାରୁ ରାଜ୍ୟରେ ମୌସୁମୀ ସକ୍ରିୟ ରହିବ ବୋଲି ଅନୁମାନ କରାଯାଉଛି । ଏଣୁ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ବିଳମ୍ବ ହେବ ବୋଲି ପୂର୍ବାନୁମାନ କରାଯାଉଛି।