ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା : କାଲି ମହାନଦୀରେ ଆସିପାରେ ବନ୍ୟା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଲଗାଣ ବର୍ଷାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇ ରାଜଘାଟଠାରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ଏବେ ଜଳସ୍ତର ରହିଛି ୧୦.୪୧ ମିଟର । ସେହିପରି ଇକୋରପାଳଠାରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି । ନଦୀର ଜଳସ୍ତର ବଢୁଥିବାରୁ ବାଲିଆପାଳ ବ୍ଲକର ୬ ପଂଚାୟତର ୩୦ରୁ ଅଧିକ ଗାଁ ଏବେ ଜଳବନ୍ଦୀ ।

ହୀରାକୁଦର ଏବେ ୨୮ଟି ଗେଟ୍ ଖୋଲା ରହିଛି । ୨୮ ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ରହିଛି ୬୨୮.୮୩ ଫୁଟ । ହୀରାକୁଦ ଜଳଭଣ୍ଡାରକୁ ଯେତିକି ଜଳ ପ୍ରବେଶ କରୁଛି ସେତିକି ଜଳ ନିଷ୍କାସିତ ହେଉଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ଶନିବାର ସକାଳୁ ୮ ଲକ୍ଷ କ୍ୟୁସେକ୍‌ ପାଣି ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ । ତେଣୁ ମହାନଦୀରେ ବନ୍ୟା ଆସିବା ନେଇ ଆକଳନ କରାଯାଉଛି। ଏହା ପ୍ରଭାବରେ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ଅନୁମାନ କରାଯାଉଛି ।  ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି  । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ମଧ୍ୟ ଏନେଇ ସତର୍କ ସୂଚନା ବି ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି  ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ଏବଂ ଅଗ୍ନିଶମ ବିଭାଗ ଟିମ୍‌ ମୁତୟନ କରାଯାଇଛି । 

Related Posts