ବଡଦୋରା: ଗୁଜରାଟ ବଡୋଦରାର ୨୪ ବର୍ଷିୟା କ୍ଷମା ବିନ୍ଦୁ ନିଜକୁ ନିଜେ ବିବାହ କରି ସମଗ୍ର ଦେଶରେ ବେଶ୍ ଚର୍ଚ୍ଚା ସାଉଣ୍ଟିଥିବା କ୍ଷମା ବିନ୍ଦୁଙ୍କ ଉପରେ ଏବେ ଦୁଃଖର ପାହାଡ ଭାଙ୍ଗିଲା । ବିବାହ ପରଠାରୁ ସେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବଡୋଦରାର ଶୁଭାନପୁରା ଅଞ୍ଚଳରେ ରହୁଥିବା କ୍ଷମା ବିନ୍ଦୁ ସହର ଛାଡିବା ଲାଗି ଏକ ପ୍ରକାର ବାଧ୍ୟ ହୋଇ ପଡିଥିଲେ। ତାଙ୍କ ଚାକିରୀ ଚାଲି ଯାଇଥିବା ବେଳେ ଘର ମାଲିକ ତାଙ୍କୁ ଘର ଖାଲି କରିଦେବାକୁ କହିଥିଲେ। ଏବେ ଘର ଓ ଚାକିରୀ ଉଭୟ ଚାଲିଯିବା ଯୋଗୁ ସେ ବଡୋଦରା ଛାଡିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ କ୍ଷମାବିନ୍ଦୁ ବଡୋଦରା ଶୁଭାନପୁରା ଅଞ୍ଚଳରେ ଭଡା ଘରେ ରହୁଥିଲେ। ଘର ମାଲିକ ସମାଜ ଚାପରେ ପଡି କ୍ଷମା ବିନ୍ଦୁଙ୍କୁ ଘର ଛାଡିବାକୁ କହିଥିବା ସେ କହିଛନ୍ତି। ତେବେ ସେ ଘର ଖାଲି କରିବାକୁ କହିବା ପୂର୍ବରୁ କ୍ଷମା ବିନ୍ଦୁ ଏଥିଲାଗି ପ୍ରସ୍ତୁତି କରି ନେଇଥିଲେ ବୋଲି କହିଛନ୍ତି। ଖାସ ଏହି କାରଣରୁ ସେ ଚାକିରୀ ବି ଛାଡିଦେଇଛନ୍ତି।

ଅଫିସରେ ଯେଉଁ ଲୋକେ ଅନଲାଇନ କାମ କରୁଥିଲେ ସେମାନେ ସେମାନଙ୍କ ଇଚ୍ଛାରେ ଚାକିରୀ ଛାଡିଥିଲେ। ମୁଁ ବି ଚାକିରୀ ଛାଡି ଦେଇଛି ଓ ପୁଣି ନୂଆ ଚାକିରୀର ସନ୍ଧାନରେ ଥିବାର କହିଛନ୍ତି। ଇତିମଧ୍ୟରେ ସେ ବଡୋଦରା ମଧ୍ୟ ଛାଡି ଦେଇଥିବା କହିଛନ୍ତି। ତେବେ ସେ କେଉଁଠି ରହୁଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ହେଲେ ୩ ଚାରିଦିନ ପୂର୍ବେ ଘର ଖାଲି କରିଦେଇଥିବା ବେଳେ ମାସକ ଲାଗି ବଡୋଦରା ମଧ୍ୟ ଛାଡିଛନ୍ତି। ତେବେ ସେ କେଉଁଠି ରହୁଛନ୍ତି ତାହା ଏବେ ଜଣେଇବେ ନାହିଁ ବୋଲି କହିଛନ୍ତି। ପୁଣି ବଡୋଦରା ଫେରିଲେ ସୂଚନା ଦେବେ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୮ ଜୁନ ୨୦୨୨ରେ କ୍ଷମା ବିନ୍ଦୁ ନିଜ ସହ ନିଜର ବିବାହ ରଚିଥିଲେ। ତାଙ୍କର ଏପରି ସୋଲୋଗାମୀ ବିବାହକୁ ନେଇ ବେଶ ବିବାଦ ଦେଖା ଦେଇଥିଲା। ସୋସିଆଲ ମିଡିଆରେ ଲୋକେ ତାଙ୍କର ତିରସ୍କାର ବି କରିଥିଲେ। ହିନ୍ଦୁ ଧର୍ମରେ ଏପରି ବିବାହର ବ୍ୟବସ୍ଥା ନଥିବା କହିଥିଲେ। ତେବେ କ୍ଷମା ତାଙ୍କ ବିବାହରେ ହିନ୍ଦୁ ବିବାହର ସବୁ ପ୍ରଥା ଓ ପରମ୍ପରାର ନିର୍ବାହ କରିଥିଲେ । କ୍ଷମା ପ୍ରଥମେ ମନ୍ଦିରରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ତତ୍କାଳୀନ ବଡୋଦରା ଡେପୁଟି ମେୟର ସୁନିତା ଶୁକ୍ଲା ତାଙ୍କର ଏପରି ବିବାହକୁ ଅନୁମତି ଦିଆଯାଇପାରିବନି ବୋଲି କହିଥିଲେ। ବିଦେଶୀ ୱେବ୍ ସିରିଜ ଦେଖି ଏପରି ବିବାହ କରୁଥିବା ସେ କହିଥିଲେ ।