ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଲଗାଣ ବର୍ଷାରେ ରାଜ୍ୟ ତମାମ ଜନ ଜୀବନ ଅସ୍ତବ୍ୟସ୍ତ। ପ୍ରବଳ ବର୍ଷା ଯୋଗୁଁ  ନନ୍ଦନକାନନର ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ମଧ୍ୟ ପ୍ରଭାବିତ ହୋଇଛି । ନନ୍ଦନକାନନର ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ମଧ୍ୟରେ ଥିବା କାଞ୍ଜିଆ ହ୍ରଦର ଜଳସ୍ତର ବୃଦ୍ଧି ପାଇଛି । ଏହା ଫଳରେ ଉଦ୍ଭିଦ ଉଦ୍ୟାନ ମୁଖ୍ୟରାସ୍ତା ଠାରୁ ବିଚ୍ଛିନ୍ନ ହୋଇଛି । 

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂ ସେବାକୁ ମଧ୍ୟ ବନ୍ଦ କରାଯାଇଛି। ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିଭିନ୍ନ ଖୁଆଡ଼ରେ ପାଣି ପଣିଯାଇଥିବା ବେଳେ ଜୀବଜନ୍ତୁ ମାନେ ସୁରକ୍ଷିତ ଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ , କାଞ୍ଜିଆ ହ୍ରଦର ଜଳସ୍ତର ବୃଦ୍ଧି ପାଇଥିବାରୁ ପ୍ରାଣୀ ଉଦ୍ୟାନର ବିହଙ୍ଗ ସାରଣୀ, ଏମୁ ପକ୍ଷୀ ଖୁଆଡ, ଧଳା ହରିଣ, ସମ୍ବର ଖୁଆଡ଼ ମଧ୍ୟରେ ବର୍ଷା ଜଳ ପ୍ରବେଶ କରିଛି । ବିଶେଷ କରି ଜଳହସ୍ତୀ ଖୁଆଡ଼ରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଜଳହସ୍ତୀ ବାହାରକୁ ବାହାରିପଡିଛନ୍ତି।  ନନ୍ଦନକାନନ ପକ୍ଷରୁ ଏକ ଟିମ୍‌ ଗଠନ କରି କାଞ୍ଜିଆ ହ୍ରଦ କଡ଼ରେ ଥିବା ଖୁଆଡ଼ ଗୁଡିକ ଉପରେ ନଜର ରଖାଯାଉଥିବା ସୂଚନା ମିଳିଛି। ଯଦି ଅଧିକ ପାଣି ବଢେ ତେବେ ଜୀବ ଜନ୍ତୁ ମାନଙ୍କୁ ସଙ୍ଗେ ସଙ୍ଗେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବ ବୋଲି ଜଣାପଡ଼ିଛି ।

Related Posts