NEET ପରୀକ୍ଷାରେ ଫେଲ୍‌ ହେବା ଭୟରେ ଆତ୍ମହତ୍ୟା କଲେ ଦ୍ୱାଦଶ ଟପ୍ପର , ଘରୁ ମିଳିଲା ଝୁଲନ୍ତା ମୃତଦେହ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର :  ତାମିଲନାଡୁରେ ଆଉ ଜଣେ NEET ପରୀକ୍ଷାର୍ଥୀ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଫେଲ୍‌ ହେବାର ଆଶଙ୍କା କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଘଟଣା ଏମିତି ଏକ ସମୟରେ ଆସିଛି ଯେଉଁଦିନ ‘ନିଟ୍‌’ ପରୀକ୍ଷା ରଦ୍ଦ କରିବା ପାଇଁ ତାମିଲନାଡୁ ବିଧାନସଭାରେ ଏକ ବିଲ୍‌ ପାରିତ ହୋଇଛି ସେହିଦିନ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। 

ତାମିଲନାଡୁର ଆରିୟାଲୁର ଜିଲ୍ଲାର ନିଟ୍ ପରୀକ୍ଷା ପ୍ରାର୍ଥୀ କାନିମୋଜି ଆତ୍ମହତ୍ୟା କରିଛନ୍ତି। ସେ ଏହି ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ ଭଲ ପ୍ରଦର୍ଶନ ନକରିବାକୁ ନେଇ ଚିନ୍ତିତ ଥିଲେ । ପରୀକ୍ଷା କ୍ଲିଅର କରି ନପାରିବା ଭୟରେ ସେ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି। 

ପୁଲିସ ସୂଚନା ଅନୁସାରେ , କାନିମୋଜି ରବିବାର ଦିନ NEET UG 2021 ପରୀକ୍ଷା ଦେଇଥିଲେ କିନ୍ତୁ ଭଲ ପ୍ରଦର୍ଶନ ନକରିବାକୁ ନେଇ ଚିନ୍ତିତ ଥିଲେ । ସମ୍ପର୍କୀୟଙ୍କ କହିବା ଅନୁସାରେ, ପରୀକ୍ଷାରୁ ଆସିବା ପରେ କାନିମୋଜି ତାଙ୍କ ରୁମ୍‌କୁ ଯାଇ ଶୋଇପଡିଥିଲେ ଏବଂ ସୋମବାର ସକାଳେ ଛାତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲା।

ପରିବାର ଲୋକେ କହିଛନ୍ତି ଯେ, କାନିମୋଜି ପରୀକ୍ଷାକୁ ନେଇ ଖୁବ୍ ଚିନ୍ତିତ ଥିଲେ। ସେ ଭୟ କରୁଥିଲେ ଯେ ଯଦି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେବା ପରେ ମଧ୍ୟ ଡାକ୍ତର ହୋଇପାରିବେ ନାହିଁ। ଏ ମାମଲାରେ ବିକ୍ରମଙ୍ଗଲ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

ତେବେ ଏଠାରେ ସୂଚନାଯୋଗ୍ୟ ଯେ , ସୋମବାର ଦିନ ତାମିଲନାଡୁ ବିଧାନସଭାରେ ନିଟ୍‌ ପରୀକ୍ଷା ହଟାଇବା ଉଦ୍ଦେଶ୍ୟରେ ଏକ ବିଲ୍ ପାରିତ ହୋଇଛି। ଏହି ବିଧେୟକରେ କୁହାଯାଇଛି ଯେ, ଦ୍ୱାଦଶ ପରୀକ୍ଷାର ନମ୍ବର ଆଧାରରେ ଡାକ୍ତରୀ ପାଠ୍ୟକ୍ରମରେ ଅଡମିସନ ବ୍ୟବସ୍ଥା କରାଯାଉ। 

ଏହି ବିଧେୟକରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଉଦ୍ଦିଷ୍ଟ ନିଟ୍ ପରୀକ୍ଷାରୁ ତାମିଲନାଡୁର ଛାତ୍ର-ଛାତ୍ରୀଙ୍କୁ ରିହାତି ଦେବା ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲୋଡା ଯାଇଛି। 

ମୁଖ୍ୟ ବିରୋଧୀ ଦଳ ଏଆଇଡିଏମକେ ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ରାଜ୍ୟରେ ନିଟ୍‌ ପରୀକ୍ଷା ଆୟୋଜିତ ନକରିବା ଓ ମେଡିକାଲ ପାଠ୍ୟକ୍ରମରେ ଦ୍ବାଦଶ ରେଜଲ୍ଟ ଆଧାରରେ ଆଡମିଶନ ପାଇଁ ବିଧେୟକ ଆଗତ କରିଥିଲେ । NEET ପରୀକ୍ଷା ପୂର୍ବରୁ ଜଣେ 20 ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ମୃତ ଛାତ୍ର ହେଉଛନ୍ତି ଏସ ଦାନୁଶ ଓ ସେ ତାମିଲନାଡୁର ସାଲେମ ଜିଲ୍ଲା ନିବାସୀ ବୋଲି ଜଣାପଡିଥିଲା । ରବିବାର ହୋଇଥିବା NEET ପରୀକ୍ଷା ପୂର୍ବରୁ ଦାନୁଶ ଏପରି ଚରମ ନିଷ୍ପତ୍ତି ନେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। NEET ପରୀକ୍ଷାରେ କେନ୍ଦ୍ର ସରକାରଙ୍କ ଅପାରଗତା ଦର୍ଶାଇବା ସହ ଏହା ବିରୋଧରେ ଏକ ବିଲ ଆଣିବାକୁ ଘୋଷଣା କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

Related Posts