
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ଥାନାନ୍ତର ହେବ ୧ ନମ୍ବର ପରିବା ମାର୍କେଟ । ସହର ଉପକଣ୍ଠ ଭଗବାନପୁରକୁ ଏହା ସ୍ଥାନାନ୍ତରିତ ହେବ। ଏଥିପାଇଁ ସେଠାରେ ୧୦ ଏକର ଜମି ଚିହ୍ନଟ କରାଯାଇଛି। ପରିବା ହୋଲ୍ସେଲ୍ ମାର୍କେଟ୍ ପାଇଁ ସେଠାରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ସୁବିଧା ଥିବାରୁ ତଥା ସହର ଭିତରୁ ଗହଳି କମାଇ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ବିଏମ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ବିଏମ୍ସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ବସିଥିଲା।
ମାର୍କେଟ୍ ସ୍ଥାନାନ୍ତର ନିଷ୍ପତ୍ତିକୁ ସ୍ୱାଗତ କରିଛି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ। ୧୯୫୭ ମସିହାରୁ ୟୁନିଟ-୧ରେ ୪ ଏକର ଜାଗା ଉପରେ ଅଛି ପରିବା ହୋଲ୍ସେଲ୍ ମାର୍କେଟ। ଏବେ ଏଠାରେ ୪୯ ଜଣ ପରିବା ହୋଲ୍ସେଲ୍ ବ୍ୟବସାୟୀ ଅଛନ୍ତି। ପ୍ରତିଦିନ ଏଠାକୁ ୨୦୦ ଟ୍ରକ ଯିବା ଆସିବା କରୁଛି। ତେବେ ଏଠାରେ ସ୍ଥାନ ଅଭାବରୁ ପରିବା ହୋଲସେଲ ମାର୍କେଟକୁ ସ୍ଥାନାନ୍ତର କରିବା ଲାଗି ୨୦୦୭ରୁ ଦାବି କରି ଆସୁଥିଲା ସଂଘ।