
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାମ୍ପ୍ରତିକ ବିଜୁ ଜନତା ଦଳର ରାଜନୈତିକ ସ୍ଥିତି ଦେଖିଲେ ସ୍ପଷ୍ଟ ପ୍ରତୀୟମାନ ହେଲାଣି ନବୀନ ବାବୁଙ୍କ ହାତରୁ ବିଜେଡି ବା ଶଙ୍ଖ ଚିହ୍ନ ଧୀରେ ଧୀରେ ଦୂରେଇ ଯାଉଛି। ବିଜେଡି ଦଳରେ ଯିଏ ଯେତେବେଳେ ଇଚ୍ଛା କରିବ ଶୀର୍ଷ ନେତୃତ୍ୱକୁ ଇଙ୍ଗିତ କରି ହେଉ ଅବା କୌଣସି ପ୍ରସଙ୍ଗ ଉପରେ ହେଉ ମନଇଚ୍ଛା ଗଣମାଧ୍ୟମରେ ବିବୃତି ଦେବା ଅତୀତରେ କେବେ ଦେଖାଯାଇନଥିଲା। ଅର୍ଥାତ୍ ନବୀନ ବାବୁ ନିଜ ଦଳକୁ ବା ସାଙ୍ଗଠନିକ ବ୍ୟବସ୍ଥାକୁ ନିଜ ହାତ ମୁଠାରେ ରଖିଥିଲେ। କେବଳ ଯେ ହାତ ମୁଠାରେ ରଖିଥିଲେ ତାହା ନୁହେଁ, ପୁରା ସଂଗଠନ ଉପରେ ନିଜର ହୁକୁମାତି ମଧ୍ୟ ରହୁଥିଲା।ଦଳ ଲମ୍ବା ସମୟ ଧରି ସଫଳତାର ସ୍ଵାଦ ଚାଖିବାର ଏହା ଏକ ପ୍ରମୁଖ କାରଣ ଥିଲା ବୋଲି କୁହାଯାଉଥିଲା।ଏବେ କିନ୍ତୁ ଦଳ ସରକାରରୁ ଯିବାପରେ ସ୍ଥିତି ସଂପୂର୍ଣ୍ଣ ଓଲଟା ହୋଇଯାଇଛି।ନିକଟରେ ଘଟିଥିବା ଗୋଟିଏ ଘଟଣାକୁ ଅନୁଶୀଳନ କଲେ ତମାମ ପ୍ରସଙ୍ଗ ସହଜେ ବୁଝା ପଡୁଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ନେଇ ବିଜୁ ଜନତା ଦଳର ନେତା ମାନେ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇପଡିଲେ। ବିରୋଧୀ ଦଳ ନେତା ହିସାବରେ ସରକାରଙ୍କ କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରିୟାଶୀଳ ହେବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ କିନ୍ତୁ ଏଥିରେ ଯେଉଁ ବ୍ୟତିକ୍ରମ ଘଟିଲା ତାହା ସ୍ପଷ୍ଟ ବାରିହୋଇପଡୁଛି ଦଳପତିଙ୍କ ନିୟନ୍ତ୍ରଣରେ ଆଉ କୌଣସି ନେତା ନାହାଁନ୍ତି। ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଘୋଷଣା ହେବାକ୍ଷଣି ବା ତତକ୍ଷଣାତ୍ ପୂର୍ବତନ ମନ୍ତ୍ରୀ ବିଧାୟକ ଅରୁଣ ସାହୁ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ ଡ଼ାକି ଢେର୍ ବର୍ଷିଲେ ରାଜ୍ୟ ସରକାରଙ୍କ ଉପରେ । ଏହାର ମାତ୍ର କିଛି ମିନିଟ୍ ପରେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ (ରାଜା) ସ୍ୱାଇଁ ମଧ୍ୟ ସମାନ ପ୍ରସଙ୍ଗ ଉପରେ ଡାକିଲେ ସାମ୍ବାଦିକ ସମ୍ମିଳନୀ। ତାହାପୁଣି ଅନ୍ୟ କୌଣସି ସ୍ଥାନରେ ନୁହେଁ ଭୁବନେଶ୍ୱର ଉପରେ ନିଜ କ୍ୱାଟରରେ।
ତେବେ ବାସ୍ତବ କଥା ହେଉଛି ବିଗତ ଦିନରେ ବିଜୁ ଜନତା ଦଳରେ ଏପରି କାର୍ଯ୍ୟକଳାପ କେବେ ଦେଖା ଯାଇନଥିଲେ। ପ୍ରସଙ୍ଗ ଯେତେ ବଡ ହେଉ ନା କାହିଁକି ଦଳର ଦୁଇଜଣ ବରିଷ୍ଠ ନେତା ସମାନ ପ୍ରସଙ୍ଗ ଉପରେ ସମାନ୍ତରାଳ ଭାବେ ପୃଥକ ପୃଥକ ଦୁଇଟି ସାମ୍ବାଦିକ ସମ୍ମିଳନୀ କେବେ ଆହ୍ବାନ କରିଥିବା ପୂର୍ବରୁ ନଜିର ନାହିଁ। ତେବେ ଏହାର କାରଣ କଣ ହେଇପାରେ? ନିର୍ବାଚନ ସରିବା ପରେ ବା ଦଳ କ୍ଷମତାରୁ ଯିବାପରେ ରାଜା ସ୍ବାଇଁ ବୁଲାଇ ବଙ୍କାଇ ବା ପରୋକ୍ଷ ଭାବେ ବାରମ୍ବାର କହିବା ପାଇଁ ଚାହୁଁଛନ୍ତି ଦଳ ପରାଜୟର କାରଣ ଦଳର ଶୀର୍ଷ ନେତୃତ୍ୱ ଅର୍ଥାତ୍ ନବୀନ ବାବୁ, ପାଣ୍ଡିଆନ୍ ବାବୁ ଓ ଅନ୍ୟ ଶୀର୍ଷ ନେତୃତ୍ୱ ମାନେ। ଯେଉଁ କଥାକୁ ଦଳର ଅନ୍ୟ ନେତାମାନେ କହିବାକୁ ଚାହୁଁଥିଲି ବି ସାହାସ ଯୁଟାଇ କହିପାରୁନାହାନ୍ତି କିନ୍ତୁ ରାଜା ସ୍ୱାଇଁ ନିର୍ଭୟରେ କହିବାକୁ ତିଳେମାତ୍ର ସଙ୍କୋଚ କରୁନାହାଁନ୍ତି।
ସେହିପରି ବିରୋଧୀ ଦଳର ନେତା ହିସାବରେ ଶାସକ ବିଜେପି ଦଳକୁ ରାଜା ସ୍ୱାଇଁ ଯେତିକି ପ୍ରଶ୍ନ ବାଣରେ ଘାଇଲା କରୁଛନ୍ତି ବିଜୁ ଜନତା ଦଳର ଅନ୍ୟ କୌଣସି ନେତା ମାନଙ୍କ ଠାରୁ ତାହା ଦେଖିବାପାଇଁ ମିଳୁନାହିଁ। ଗୃହ ଚାଲିଥିବା ସମୟରେ ମଧ୍ୟ ବିଧାନସଭାରେ ମୋହନ ସରକାରଙ୍କୁ ରାଜା ସ୍ୱାଇଁ ନିଜ ପ୍ରଶ୍ନ ମାଧ୍ୟମରେ ଯେତିକି ଅକଳରେ ପକାଇଥିଲେ ଦଳର ଅନ୍ୟ ବିଧାୟକ ମାନଙ୍କଠାରୁ ତାହା ଦେଖିବା ପାଇଁ ମିଳିନଥିଲା।କିନ୍ତୁ ଏପଟେ ବିଜୁ ଜନତା ଦଳର ଉପର ନେତୃତ୍ୱ ମାନେ ଏମିତିକି ବିରୋଧୀ ଦଳର ନେତା ଖୋଦ୍ ନବୀନ ବାବୁ ଏବେବି ଭାରତୀୟ ଜନତା ପାଟି ସହିତ ଭିତିରି ବୁଝାମଣା ରାଜନୀତି ଜାରି ରଖିଛନ୍ତି। ଯାହାକୁ ରାଜା ସ୍ୱାଇଁ ନାପସନ୍ଦ କରୁଥିବା ଲକ୍ଷ କରାଯାଉଛି। ଯେତେବେଳେ ରାଜ୍ୟସଭାରେ ଉପରାଷ୍ଟ୍ରପତି ଜଗଦିପ ଧନଖର ବିରୋଧରେ ଅନସ୍ଥା ପ୍ରସ୍ତାବ ଆସିଲା ସେତେବେଳେ ରାଜା ସ୍ୱାଇଁ ସାମ୍ବାଦିକ ମାନଙ୍କୁ କହିଥିଲେ ଏମାନେ ଏଇଠି ଖେଞ୍ଚା ମରା ହେଉଛନ୍ତି କିନ୍ତୁ ଦିଲ୍ଲୀରେ କୋଳାକୋଳି ହେଉଛନ୍ତି। ସେହି ସମୟରେ ରାଜା ସ୍ବାଇଁଙ୍କ ଏହି ଅଭିଯୋଗର ଆଧାର ଥିଲା କିଛି ରାଜ୍ୟସଭା ସାଂସଦ ଉପରାଷ୍ଟ୍ରପତିଙ୍କୁ ଦେଖା କରିଥିଲେ ଏବଂ ତାହାର ଫଟୋ ଗଣମାଧ୍ୟମ ମାନଙ୍କରେ ଘୁରି ବୁଲୁଥିଲା। ତେଣୁ ସେ ଠିକ୍ ବାରିଥିଲେ ଆଉ କହିଥିଲେ ଯେ ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ଏବଂ ଭାରତୀୟ ଜନତା ପାଟିର ଶୀର୍ଷ ନେତୃତ୍ୱ ମାନଙ୍କ ମଧ୍ୟରେ ସଲାସୁତୁରା ରହିଛି,ଏଇଠି ଆମ ମାନଙ୍କୁ ଆଗକୁ ଠେଲି ଦେଉଛନ୍ତି ଆଉ ଆମେମାନେ ଭାରତୀୟ ଜନତା ପାଟି ସହିତ ଲାଗିକି ଆମ ନିଜ ଓଜନ ଆମେ ନିଜେ ହରାଉଛୁ। କିନ୍ତୁ ସମାନ ପ୍ରସଙ୍ଗ ଉପରେ ଦଳର ଦୁଇ ଜଣ ବରିଷ୍ଠ ନେତା ପୃଥକ ପୃଥକ ଭାବେ ସାମ୍ବାଦିକ ସମ୍ମିଳନୀ କରିବା ଏବେ ଦର୍ଶାଉଛି ଦଳର ନେତୃତ୍ବ ଆଦେଶକୁ ମାନିବା ପାଇଁ ଦଳ ଭିତରେ ଦୁଇ ଭାଗ ହୋଇଗଲାଣି।
ଶଙ୍ଖ ଭବନରେ ଯେଉଁ ସାମ୍ବାଦିକ ସମ୍ମିଳନୀ ହେଲା ଏହା ଦଳର ନିଷ୍ପତ୍ତି ହୋଇଥିବା କୁହାଯାଉଥିବା ବେଳେ ସମାନ୍ତରଳ ଭାବେ ରାଜା ସ୍ୱାଇଁ ସମାନ ପ୍ରସଙ୍ଗରେ ଆଉ ଏକ ସାମ୍ବାଦିକ ସମ୍ମିଳନୀ ଡାକିବା କାହା ଇଙ୍ଗିତରେ ହୋଇଛି ତାହା ପ୍ରଶ୍ନ ଛିଡା କଲାଣି।ଅର୍ଥାତ୍ ଦଳର ନିଷ୍ପତ୍ତି କୁ ଏମାନେ ଗ୍ରହଣ କରିବାକୁ ନାରାଜ ହେଲେଣି।ତେବେ ସବୁଠି ଆଲୋଚନା ହେଉଛି ନବୀନ ବାବୁ ସାମ୍ନାରେ ରହୁଛନ୍ତି ଏବଂ ପ୍ରଚ୍ଛଦପଟ୍ଟରେ ଆଉ ଏକ ପାଣ୍ଡିଆନ୍ ମାର୍କା ଶକ୍ତି କାମ କରୁଛି।ଦଳ କ୍ଷମତାରେ ଥିବା ସମୟରେ ଦଳ ଭିତରେ ଏପରି ବ୍ୟତିକ୍ରମ କେବେ ଦେଖିବାକୁ ମିଳିନଥିଲା।କିନ୍ତୁ ଗାଦି ଚାଲିଯିବା ପରେ ୭ମାସ ହେଲାଣି ଏ ଯେଉଁ ବ୍ୟତିକ୍ରମ ଦେଖାଯାଉଛି ନବୀନ ବାବୁ ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଠା ନକରିବା କାରଣରୁ ଦଳ ଭିତରେ ଅସନ୍ତୁଷ୍ଠ ର ଦାନା ଧୀରେ ଧୀରେ ବଢ଼ି ଚାଲିଛି।ତେବେ ନିର୍ବାଚନ ପରଠାରୁ ଦେଖା ଯାଉଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମାନଙ୍କରେ ବିଜୁ ଜନତା ଦଳରେ ଥିବା ବରିଷ୍ଠ ନେତା ମାନଙ୍କୁ ଦଳ ତରଫରୁ କୌଣସି ଯୋଗାଯୋଗ କରାଯାଉ ନାହିଁ ବା ସେମାନଙ୍କ ସହିତ କୌଣସି ବିଚାର ବିମର୍ଶ କରାଯାଉନାହିଁ।ସମାନ କଥା ଠିକ୍ ନିର୍ବାଚନ ପୂର୍ବରୁ ମଧ୍ୟ ଦେଖା ଯାଇଥିଲା,ଯାହାକୁ ଦଳ ବିପର୍ଯ୍ୟୟ ର ଅନ୍ୟଏକ କାରଣ ମଧ୍ୟ କୁହାଯାଇପାରେ। ଏବେବି ଦଳରେ ବରିଷ୍ଠ ମାନଙ୍କୁ ଅଣଦେଖା କରାଯାଉଥିବା କଥାକୁ ଏଡ଼ାଇ ଦିଆଯାଇନପାରେ।ଆଗୁରୁ ନବୀନ ବାବୁ କ ବ ଯାହା କହିଦେବ ଏମାନେ ସମସ୍ତେ ଗୋଟିଏ ସ୍ଵରରେ ସେଇ କଥାକୁ ଗାଈ ଯାଉଥିଲେ କିନ୍ତୁ ଏବେ ସେଥିରେ ବ୍ୟତିକ୍ରମ ଦେଖା ଯାଉଛି ତେଣୁ ଦଳ ଭିତରେ ହୋଇଥିବା ଫାଠ ଧୀରେ ଧୀରେ ବଢ଼ି ଚାଲିଛି ଅର୍ଥାତ୍ ନବୀନ ବାବୁଙ୍କ ହାତରୁ ଶଙ୍ଖ ଧୀରେ ଧୀରେ ଘୁଞ୍ଚି ଘୁଞ୍ଚି ଯାଉଛି।