
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିବାବେଳେ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ବଡ଼ ଘୋଷଣା କରିଛି । ତେବେ ପଞ୍ଜାବରେ ଆପ୍ ପକ୍ଷରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସେନେଇ ଲୋକଙ୍କ ମତାମତ ଲୋଡ଼ିଛି ଆପ୍ । ପଞ୍ଜାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ରାଜ୍ୟର ଜନସାଧାରଣ ଚୟନ କରିବେ। ଏଥିପାଇଁ ଗୋଟିଏ ଫୋନ ନମ୍ବର ଜାରି କରିଛି ଆପ୍। ପଞ୍ଜାବ ଜନସାଧାରଣ ୭୦୭୪୮୭୦୭୪୮ରେ ଯୋଗାଯୋଗ କରି ମତାମତ ଦେଇପାରିବେ ବୋଲି କେଜ୍ରିୱାଲ କହିଛନ୍ତି । ଏପରି କରି ଆପ ଏକ ଭିନ୍ନଧରଣର ରାଜନୀତି ଆପଣାଇଛି ।
ସେପଟେ ପଞ୍ଜାବର ଜନସାଧାରଣ ଉକ୍ତ ଫୋନ୍ ନମ୍ବରରେ ସେମାନଙ୍କ ପସନ୍ଦର ପ୍ରାର୍ଥୀ ନେଇ ମତ ଦେଇପାରିବେ ବୋଲି କେଜ୍ରିୱାଲ କହିଛନ୍ତି । ଏହା ସହ ଏହି ନମ୍ବରରେ ମେସେଜ, ହ୍ୱାଟସ୍ଆପ ଏବଂ କଲ କରି ମନପସନ୍ଦର ପ୍ରାର୍ଥୀ ସମ୍ପର୍କରେ କହିପାରିବେ। ପଞ୍ଜାବର ୩ କୋଟି ଲୋକ ସେମାନଙ୍କର ନେତା ସମ୍ପର୍କରେ ବାଛି ପାରିବେ । ଜାନୁଆରୀ ୧୭ ସୁଦ୍ଧା ଲୋକେ ସେମାନଙ୍କର ମତାମତ ଜଣାଇପାରିବେ। ପଞ୍ଜାବରେ ଆପ ପକ୍ଷରୁ ଭଗୱନ୍ତ ମନନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା।
କିନ୍ତୁ କେଜ୍ରିୱାଲ ଏହି ଚର୍ଚ୍ଚା ଅବସାନ ଘଟାଇଛନ୍ତି । ଅନ୍ୟପଟେ ୧୯୪୭ ପରେ ପ୍ରଥମ ଥର ପାଇଁ ଏପରି ଘଟୁଛି । ସରକାର ଗଠନ ହେବାକୁ ଯାଉଛି ହେଲେ କିଏ ମୁଖ୍ୟମନ୍ତ୍ରୀ ହେବା ଉଚିତ୍ ତାହା ସାଧାରଣ ଜନତାଙ୍କୁ ପଚରାଯାଉଛି । ଲୋକଙ୍କ ମତାମତ ୧୭ ତାରିଖ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଆସିବ । ଏହାକୁ ଆଧାର କରି ଏହାର ପ୍ରାର୍ଥୀ ଘୋଷଣା କରାଯିବ । ମୋର ବ୍ୟକ୍ତିଗତ ପସନ୍ଦ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଜନସାଧାରଣଙ୍କ ପସନ୍ଦ ଗୁରୁତ୍ୱପୂର୍ଣ୍ଣ ବୋଲି କେଜ୍ରିୱାଲ କହିଛନ୍ତି ।