ତୀର୍ଥସ୍ଥଳୀ ଯେପରି ସୁରା, ସୁନ୍ଦରୀଙ୍କ କେନ୍ଦ୍ରସ୍ଥଳୀ ନପାଲଟୁ: ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ପୁଣିଥରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରକଳ୍ପକୁ ନେଇ ଗର୍ଜିଥିବାର ଦେଖିବାକୁ ମିଳିଛି । ତେବେ ପୁରୀରେ ବିକାଶ ନାମରେ ଯେଉଁ ବୋବାଲ୍ (ମଉଜମସ୍ତି) ଚାଲିଛି, ତଦ୍ବାରା ଏହି ପବିତ୍ର ଭୂମିର ଅସ୍ତିତ୍ବ ଓ ଆଦର୍ଶର ବିଲୋପର ମାର୍ଗ ଧୀରେ ଧୀରେ ପ୍ରଶସ୍ତ ହେଉଛି। ଶାସନତନ୍ତ୍ର ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ ନ କରନ୍ତୁ। ଏହାକୁ ସୁରା, ସୁନ୍ଦରୀଙ୍କ କେନ୍ଦ୍ର ନ କରନ୍ତୁ। ମୁଁ ବିକାଶର ପକ୍ଷରେ ରହିଛି। କିନ୍ତୁ ବିକାଶ ନାମରେ ତୀର୍ଥସ୍ଥଳୀର ଆଦର୍ଶ ଓ ଅସ୍ତିତ୍ବ ବିଲୁପ୍ତ କରିଦେବା ପକ୍ଷରେ ଆଦୌ ନାହିଁ।

ଶାସନତନ୍ତ୍ର ପରମ୍ପରାପ୍ରାପ୍ତ ମଠଗୁଡ଼ିକର ବିକାଶ ତଥା ମାର୍ଗ ପ୍ରଶସ୍ତ ନାମରେ ଏହାକୁ ଭାଙ୍ଗିଦେଲେ। ଦେବାଦେବୀଙ୍କ ସ୍ଥାନକୁ ବିଲୁପ୍ତ କରି ଦିଆଗଲା। ଏହି ଅଭିଯାନ ଆଜି ବି ଜାରି ରହିଛି। ଏମିତି ଚାଲିଲେ ସାରା ଓଡ଼ିଶା ସଂକଟ ଭିତରକୁ ଚାଲିଯିବ। ନକରାତ୍ମକ ଘଟଣା ତଥା ଆସୁରିକ ଶକ୍ତି ବଢ଼ି ଚାଲିବ। ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ବର ସହ ବିଚାର କରିବା ଦରକାର। ଶାସନତନ୍ତ୍ର ଏଭଳି ବିଲୋପରୁ କ୍ଷାନ୍ତ ରହିବା ଦରକାର ବୋଲି ଜଗତ୍‌ଗୁରୁ ଶଙ୍କରାଚାର‌୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts