
ନୂଆଦିଲ୍ଲୀ : ବିଗତ ଦୁଇ ବର୍ଷ ହେଲା ସମଗ୍ର ବିଶ୍ୱକୁ କବଳିତ କରି ରଖିଛି ମହାମାରୀ କରୋନା | ତେବେ ସାରା ଦେଶରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ, ପୁଣି ବୃଦ୍ଧି ପାଇବାରେ ଲାଗିଛି | ପୂର୍ବପରି ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା ବି ବଢିଲାଣି । ଫଳରେ ଆଲର୍ଟକୁ ଆସିଲେଣି ସରକାର । ବଢୁଥିବା କରୋନା ମାମଲା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ କରୋନା ଉପରେ ଆମ ଦେଶରେ ସ୍ଥିତି ନିୟନ୍ତ୍ରଣା ଧୀନ ରହିଛି । କିନ୍ତୁ କରୋନା ମହାମାରୀ ଆମ ପାଇଁ ଚ୍ୟାଲେଞ୍ଜ । ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇନି । ଓମିକ୍ରନ୍ ଏବଂ ଏହାର ସମସ୍ତ ପ୍ରକାରଗୁଡିକ ଏକ ପ୍ରକାର ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରିବ । ଆମେ ୟୁରୋପର ଦେଶଗୁଡିକର ସ୍ଥିତି ଦେଖିଲେ ଜାଣିପାରିବା ଯେ, ସେଠାରେ କେମିତ ରହିଛି ପରିସ୍ଥିତି ।
ଗତ କିଛି ମାସ ମଧ୍ୟରେ ଏହି ପ୍ରକାରଗୁଡିକରୁ ମାମଲା ବୃଦ୍ଧି ପାଇଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହି ବୈଠକରେ ସାମିଲ ହୋଇଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କରୋନା ସମ୍ବନ୍ଧରେ ଏହା ହେଉଛି ଆମର ଏହା ୨୪ ତମ ବୈଠକ ।