
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର କରି ଜାମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି । ଜମ୍ମୁରେ ସେ ପ୍ରଥମ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ସେପଟେ ଜାମ୍ମୁ କାଶ୍ମୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୨୦ ହଜାର କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ୨୦ ହଜାର କୋଟି ମୂଲ୍ୟର ପ୍ରକଳ୍ପଗୁଡିକ ମଧ୍ୟରୁ ପ୍ରଧାନମନ୍ତ୍ରୀ ପ୍ରଥମକରି ଦିଲ୍ଲୀ-କାଟ୍ରା ଏକ୍ସପ୍ରେସୱେର ମୂଳଦୁଆ ପକାଇଲେ। ଏହାର ଆନୁମାନିକ ମୂଲ୍ୟ ୬୭୮୧ କୋଟି ଟଙ୍କା ।
କେବଳ ଏତିକି ନୁହେଁ ବରଂ ରତଲେ ଜଳ ବିଦ୍ୟୁତ ପ୍ରକଳ୍ପ, କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ପଲ୍ଲୀରେ ୫୦୦ କିଲୋୱାଟର ସୋଲାର ପାୱାର ପ୍ଲାଣ୍ଟର ଉଦଘାଟନ କରିଛନ୍ତି। ଏହା ବ୍ୟତୀତ ପିଏମ ମୋଦୀ କାଜିଗୁଣ୍ଡ-ବାନିହାଲ ଟନେଲ (୮.୪୫ କିଲୋମିଟର) ର ଉଦଘାଟନ କରିଛନ୍ତି। ଏହାର ମୂଲ୍ୟ ୨୦୨୭ କୋଟି ଅଟେ । ଜାମ୍ମୁ କାଶ୍ମୀରରେ ୧୦୮ ଜାନ ଔଷଧୀୟ କେନ୍ଦ୍ରର ଉଦଘାଟନ ମଧ୍ୟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।