ପ୍ରଧାନମନ୍ତ୍ରୀ ହେଉଛନ୍ତି ‘ସୁପର ପ୍ରଚାରକ’; କର୍ତ୍ତବ୍ୟ ପଥ ଉଦଘାଟନ ନେଇ ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ଦିଲ୍ଲୀର ରାଜପଥକୁ ଆନୁଷ୍ଠାନିକ ରୂପେ କର୍ତ୍ତବ୍ୟ ପଥ ଭାବରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ଇଣ୍ଡିଆ ଗେଟ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଅନାବରଣ ମଧ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦି ଦାସତ୍ୱର ଆଉ ଏକ ପରିଚୟ ଲିଭାଇ ଦିଆଯାଇଛି ବୋଲି କହିଥିଲେ। ବିଶେଷ କରି ନେତାଜୀ ସୁଭାଷ ବୋଷଙ୍କୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ ମୋଦି । ମୋଦି ପରୋକ୍ଷରେ କହିଥିଲେ ଯେ, ସ୍ବାଧୀନତା ପରେ ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ବୋଷଙ୍କୁ କଂଗ୍ରେସ ସରକାର ଭୁଲିଯାଇଥିଲା । ଯାହାକୁ ନେଇ କଂଗ୍ରେସର ଅନେକ ବରିଷ୍ଠ ନେତା ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ‘ସୁପର ପ୍ରଚାରକ’ ବୋଲି କହିଛନ୍ତି।

ମୋଦୀଙ୍କୁ ଟାର୍ଗେଟ କରିବାକୁ ଯାଇ ଜୟରାମ ରମେଶ ଏକ ଟ୍ୱିଟରେ କହିଛନ୍ତି ଯେ, ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନ ହୋଇଥିଲା। ସେତେବେଳେ ଆରଏସଏସ ଏହି ଆନ୍ଦୋଳନକୁ ବିରୋଧ କରୁଥିଲା ଏବଂ ବ୍ରିଟିଶ ଶାସନକୁ ସମର୍ଥନ କରୁଥିଲା। ଆଜି ଆରଏସଏସ ର ‘ସୁପର ପ୍ରଚାରକ’ କହୁଛନ୍ତି ଯେ ସେମାନେ ଉପନିବେଶ ଶାସନର ପ୍ରତୀକକୁ ଲିଭାଇ ଦେଇଛନ୍ତି। ପ୍ରସଙ୍ଗଗୁଡିକରୁ ବିଭ୍ରାନ୍ତ କରିବାକୁ ଏକ ପ୍ରୟାସ ବ୍ୟତୀତ ଏହା ଆଉ କିଛି ନୁହେଁ । ଲୋକଙ୍କୁ ବିଭ୍ରାନ୍ତି କରିବା ହେଉଛି ମୋଦିଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି କହି ରମେଶ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

Related Posts