ନର୍ଥ-ଇଷ୍ଟକୁ ଗଡ଼ିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୯/୫(ସତ୍ୟପାଠ ବ୍ୟୁରୋ): ନର୍ଥ-ଇଷ୍ଟକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ଏହି ଟ୍ରେନକୁ ସବୁଜ ପତାକା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଷ୍ଟେସନରୁ ଆସାମର ଗୌହାଟୀକୁ ଦୌଡିଲା ଏହି ଟ୍ରେନ୍। ପ୍ରାୟ ୪୦୭ କିଲୋମିଟର ରାସ୍ତାକୁ ଏହି ଟ୍ରେନ ସାଢ଼େ ୫ ଘଣ୍ଟାରେ ସମୟ ନେବ । ଏହି ରୁଟରେ ଚାଲୁଥିବା ଏହା ସବୁଠାରୁ ଦ୍ରୁତତମ ଟ୍ରେନ୍ । ଏହାଦ୍ବାର ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହିତ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ମଧ୍ୟ ବିକାଶ ଘଟିବ ବୋଲି ଏହି ଟ୍ରେନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗୌହାଟୀ ବନ୍ଦେ ଭାରତ ଏକ୍ସପ୍ରେସ ଭାରତ ୧୮ତମ ଦ୍ରୁତ ଟ୍ରେନ୍ । ଏହା ନ୍ୟୁଜଲପାଇଗୁଡିରୁ ସକାଳ ୬.୧୦ ମିନିଟରେ ଯାତ୍ରା ଆରମ୍ଭ କରି ଦିନ ୧୧.୪୦ ମିନିଟରେ ଗୌହାଟୀରେ ପହଞ୍ଚିବ । ସେହିପରି ଅପରାହ୍ଣ ୪.୩୦ମିନିଟରେ ଗୌହାଟୀରୁ ଯାତ୍ରା ଆରମ୍ଭ କରି ରାତି ୧୦ଟାରେ ନ୍ୟୁଜଲପାଇଗୁଡିରେ ପହଞ୍ଚିବ । ମଙ୍ଗଳବାରକୁ ଛାଡ଼ି ସପ୍ତାହରେ ୬ ଦିନ ଗଡ଼ିବ ଏହି ଟ୍ରେନ୍ ।

ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତର-ପୂର୍ବ ଭାରତ ପାଇଁ ଆଜି ମହତ୍ବପୂର୍ଣ୍ଣ ଦିନ । ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହିତ ଲୋକଙ୍କୁ ରୋଜଗାର ମିଳିବ । ସେହିପରି ପ୍ରଧାନମନ୍ତ୍ରୀ ଲାମାଣ୍ଡିଂରେ ନବନିର୍ମିତ ଡେମୋ ମେମୋ ସେଡକୁ ମଧ୍ୟ ଲୋକାର୍ପିତ କରିଛନ୍ତି । ଏହାଛଡ଼ା ଆସାମରୁ ମେଘାଳୟ ପ୍ରାୟ ସାଢେ ୪ଶହ କିଲୋମିଟର ରେଲଓ୍ବା ଟ୍ରାକର ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇଯାଇଛି ବୋଲି ପିଏମ୍ କହିଛନ୍ତି ।

Related Posts