ନୂଆଦିଲ୍ଲୀ: ଭାରତ ଗସ୍ତରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ | ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବୋରିସ୍‌ ଜନ୍‌ସନ୍‌ । ଗସ୍ତର ପ୍ରଥମ ଦିନରେ ଜନ୍‌ସନ୍‌ ଗୌତମ ଆଦାନିଙ୍କ ସମେତ ଗୁଜରାଟର ଗିଫ୍ଟ ସିଟିରେ ବିଶିଷ୍ଟ ଶିଳ୍ପପତିମାନଙ୍କୁ ଭେଟିବେ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲଙ୍କୁ ବି ସାକ୍ଷାତ କରିବେ। ଦୁଇ ଦେଶ ମଧ୍ୟରେ ବିଶେଷ କରି ଟେଡ୍, ସୁରକ୍ଷା, ପ୍ରତିରକ୍ଷା ଉପରେ ଆଲୋଚନା ହେବ । ୟୁକ୍ରେନ -ଋଷ ଯୁଦ୍ଧରେ ଭାରତର ନିରପେକ୍ଷ ଭୂମିକା ଉପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବିଟ୍ରେନ୍ ପ୍ରଧାନମନ୍ତ୍ରୀ ଆଜି ସକାଳେ ଗୁଜୁରାଟର ଅହମ୍ମଦାବାଦରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଅହମ୍ମଦାବାଦରେ କେତକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ଦିଲ୍ଲୀ ଗସ୍ତରେ ଯିବେ । ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରି ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ଯୁଦ୍ଧକୁ ନେଇ ଭାରତର ପକ୍ଷକୁ ଭିନ୍ନ ମୋଡ଼ ଦେବା ପାଇଁ ସେ ଉଦ୍ୟମ କରିପାରନ୍ତି । ଏହାବ୍ୟତୀତ ଆତଙ୍କବାଦ, ଚୀନ୍‌ ଓ ଭାରତ-ପ୍ରଶାନ୍ତ ମହାସାଗର ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି ।